ନୂଆଦିଲ୍ଲୀ: ଆଗକୁ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ ପାଇଁ ଆଜି(ବୁଧବାର) ଭାରତୀୟ ଦଳ ଘୋଷଣା ହେବ । ଏଥିପାଇଁ ଆପତତଃ ୧୪ ଜଣଙ୍କ ନାମରେ ମୋହର ବାଜି ସାରିଛି । ଆସନ୍ତାକାଲି ଦଳ ଘୋଷଣା ହେବାର ଥିଲା କିନ୍ତୁ ତାହା ଆଜି ଘୋଷଣା ହେବାକୁ ସ୍ଥିର ହୋଇଛି ।
ଆଜି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଲଣ୍ଡନରେ ଥିବା ଅଧିନାୟକ ବିରାଟ କୋହଲି ଭିଡିଓ କନଫରେନ୍ସ ଜରିଆରେ ମନୋନୟନକର୍ତ୍ତାଙ୍କ ସହିତ ଆଲୋଚନା ପରେ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହା ମନୋନୟନ ସମିତି ଉପଦେଷ୍ଟା ଭାବେ ବୈଠକରେ ଉପସ୍ଥିତ ରହିବେ । ଭାରତୀୟ ଦଳର ଅତିକମରେ ୧୩ରୁ ୧୫ ଜଣ ସିଧାସଳଖ ଭାବେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । କେବଳ କିଛି ସ୍ଥାନ ପାଇଁ ଆଲୋଚନା ହେବ ।
ଟି-୨୦ ପାଇଁ ୧୮ କିମ୍ବା ୨୦ ଜଣିଆ ଦଳ ଘୋଷଣା ହୋଇପାରେ । ସେଥିରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହର ଏବଂ ଜାଡେଜାଙ୍କ ସ୍ଥାନ ପୂରଣ ନିମନ୍ତେ ଅଭର ପଟେଲ ଓ କ୍ରୃନାଲ ପାଣ୍ଡ୍ୟାଙ୍କ ନାମ ରହିଛି । ଫିଟନେସ ଭିତ୍ତିରେ ୱାସିଂଟନ ସୁନ୍ଦରଙ୍କ ନାମ ଆଲୋଚନାରେ ଆସିପାରେ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି ।
ଆଇସିସିର ନିୟମ ଅନୁସାରେ କୌଣସି ବି ଟିମ ସର୍ବାଧିକ ୩୦ ଜଣିଆ ଦଳ ଘୋଷଣା କରିପାରିବେ । ପୂର୍ବ ସଂସ୍କରଣରେ ଏହି ସଂଖ୍ୟା ୨୩ରେ ଥିଲା । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ୩୦କୁ ବୃଦ୍ଧି କରାଯାଇଛି । ଏ ବାବଦରେ ସମସ୍ତ ଅତିରିକ୍ତ ଖର୍ଚ୍ଚ ବୋର୍ଡ ବହନ କରିବ ବୋଲି ଆଇସିସି ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ