ହାଇଦ୍ରାବାଦ: ଟିମ ଇଣ୍ଡିଆର ୨୦୨୨ କ୍ରିକେଟ ସୂଚୀ ବହୁ ଉତଥାନ ପତନ ଦେଇ ଗତି କରିଛି । ଖେଳାଳିଙ୍କ ଆହତ ସମସ୍ୟା ବିସିସିଆଇର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ତେବେ ଜଣଙ୍କର ଅନୁପସ୍ଥିତି ଆଉ ଜଣଙ୍କ ପାଇଁ ସୁଯୋଗ ଆଣିଥାଏ । ସିନିୟର ତଥା ଅଭିଜ୍ଞ ଖେଳାଳିଙ୍କ ଆହତ ସମସ୍ୟା ପାଇଁ ସେମାନେ ଦଳରୁ ବାଦ ପଡିଲେ । ସେହି ସ୍ଥାନରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ବୋର୍ଡ ଚିନ୍ତା କରିଥିଲା । ଆଉ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ କିଛି ଯୁବ କ୍ରିକେଟର । ଯଦି ଆମେ ୨୦୨୨ କ୍ରିକେଟ କ୍ୟାଲେଣ୍ଡର ଉପରେ ନଜର ପକାଇବା ତାହେଲେ ୯ ଜଣ ଯୁବ କ୍ରିକେଟର ଟିମ ଇଣ୍ଡିଆର ବ୍ଲୁ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ ।
ଭେଙ୍କଟେଶ ଆୟର : ଭେଙ୍କଟେଶ ଆୟର ୨୦୨୨ ଜାନୁଆରୀ ୧୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଦିନିକିଆ ଡେବ୍ୟୁ କରିଥିଲେ । ଏହି ସମୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଦଳରୁ ବାଦ ପଡିଥିଲେ । ତାଙ୍କ ବଦଳରେ ଦଳ ଭେଙ୍କଟେଶ ଆୟରଙ୍କୁ ସ୍ଥାନ ଦେଇଥିଲା । ଅଲରାଉଣ୍ଡର ଭେଙ୍କେଟେଶ ଆୟର ଆଇପିଏଲ୍ ଟିମ୍ KKR ତରଫରୁ ଆଇପିଏଲ ୨୦୨୧ରେ କ୍ରିକେଟ ପ୍ରେମୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ମଧ୍ୟ ପ୍ରଦେଶର ଏହି ଅଲରାଉଣ୍ଡର ୨୦୨୧ ମସିହା ଟି୨୦ ଅନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ । ଏହା ପରେ ୨୦୨୨ ଜାନୁଆରୀ ୧୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ।
ଦୀପକ ହୁଡ୍ଡା : ଅଲରାଉଣ୍ଡର ଦୀପକ ହୁଡ୍ଡା ୨୦୨୨ରେ ଦମଦାର ଫର୍ମ ଦେଇ ଗତି କରିଛନ୍ତି । ସେ ଫେବ୍ରୁଆରୀରେ ଟି୨୦ ଅନ୍ତର୍ଜାତୀୟ ଓ ଦିନିକିଆ ଫର୍ମାଟରେ ଡେବ୍ୟୁ କରିଥିଲେ । ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟସ ପୂର୍ବରୁ ଷ୍ଟାର କ୍ରିକେଟର ବିରାଟ କୋହଲି ଦୀପକ ହୁଡ୍ଡାଙ୍କୁ ଡେବ୍ୟୁ କ୍ୟାପ ଦେଇଥିଲେ । ସେ ପ୍ରଥମେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦିନିକିଆରେ ଡେବ୍ୟୁ କରିଥିଲେ । ଏହା ପରେ ଫେବ୍ରୁଆରୀ ୨୪ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ।
ଆଭେଶ ଖାନ : ଭାରତୀୟ ଫାଷ୍ଟ ବୋଲର ଆଭେଶ ଖାନ ବହୁ ଦିନରୁ ଟିମ ଇଣ୍ଡିଆର ଡେବ୍ୟୁ କରିବା ନେଇ ସ୍ବପ୍ନ ଦେଖିଥିଲେ । ଶେଷରେ ତାଙ୍କ ଅପେକ୍ଷାର ଅନ୍ତ ଘଟିଥିଲା । ଫେବ୍ରୁଆରୀ ୨୦ ତାରିଖରେ ସେ ଟିମ ଇଣ୍ଡିଆ ତରଫରୁ ପ୍ରଥମ ଥର ପାଇଁ ପ୍ରତିନିଧିତ୍ବ କରିଥିଲେ । ଫେବ୍ରୁଆରୀ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚର ତଥା ଫେବ୍ରୁଆରୀ ୨୦ ତାରିଖରେ ଟି୨୦ ଡେବ୍ୟୁ କରିଥିଲେ ଆଭେଶ ଖାନ । ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା । ଏହା ପରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଜୁଲାଇ ୨୪ ତାରିଖରେ ଦିନିକିଆରେ ଡେବ୍ୟୁ କରିଥଲେ । ସେ ଡେବ୍ୟୁ ମ୍ୟାଚରେ ୬ ଓଭର ବୋଲିଂ କରିଥିଲେ । ହେଲେ ତାଙ୍କୁ ଗୋଟିଏ ବି ୱିକେଟ ମିଳିନଥିଲା ।
ଋତୁରାଜ ଗାଏକ୍ବାଡ : ଦେଶର ପ୍ରତିଭାବାନ ଯୁବ ଖେଳାଳିଙ୍କୁ ଭାବରେ ଋତୁରାଜ ଗାଏକ୍ବାଡଙ୍କର ବେଶ ନାମ ରହିଛି । ସେ ଅକ୍ଟୋବର ୬ ଲକ୍ଷ୍ନୌରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ । ହେଲେ ଡେବ୍ୟୁ ମ୍ୟାଚରେ ସେ ଏତେଟା କମାଲ କରି ପାରିନଥିଲେ । ସେ ୪୨ ବଲରରୁ ଗୋଟିଏ ଚୌକା ବଳରେ ୧୯ ରନ କରି ଷ୍ଟମ୍ପ ଆଉଟ ହୋଇଯାଇଥିଲେ ।
ରବି ବିଷ୍ଣୋୟୀ : ଯୁବ ଲେଗ ସ୍ପିନର ରବି ବିଷ୍ଣୋୟୀ ଫେବ୍ରୁଆରୀ ୧୬ ତାରିଖରେ ବ୍ଲୁ ଜର୍ସି ପିନ୍ଧି ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ । ଫେବ୍ରୁଆରୀରେ ଖେଳାଯାଇଥିବା ୱେଷ୍ଟ ଇଣ୍ଡିଜ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚରେ ରବି ବିଷ୍ଣୋୟୀ ଡେବ୍ୟୁ କରିଥିଲେ । ଏହି ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିଲା । ତାଙ୍କୁ ସ୍ପିନର ୟୁଜିବେନ୍ଦ୍ର ଚହଲ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ ।
ଏହା ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦିନିକିଆରେ ତଥା ଅକ୍ଟୋବର ୬ ତାରିଖରେ ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ରବି ବିଷ୍ଣୋୟୀ ୮ ଓଭର ବୋଲିଂ କରି ୬୯ ରନ ବ୍ୟୟରେ ଗୋଟିଏ ୱିକେଟ ହାତେଇଥିଲେ ।
ଶାହାବାଜ ଅହମ୍ମଦ: ଶାହାବାଜ ଅହମ୍ମଦ ଅକ୍ଟୋବର ୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ ରାଞ୍ଚି ସ୍ଥିତ ଜେଏସ ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦିନିକିଆରେ ରବି ବିଷ୍ଣୋୟୀ ଓ ଋତୁରାଜ ଗାଏକ୍ବାଡଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା । ତାଙ୍କ ବଦଳରେ ୱାସିଙ୍ଗଟନ ସୁନ୍ଦର ଓ ଶାହାବାଜ ଅହମ୍ମଦଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଇଥିଲା । ଏହି କାରଣରୁ ଶାହାବାଜ ଅହମ୍ମଦ ଦିନିକିଆ ଡେବ୍ୟୁ କରିଥଲେ ।
ଅର୍ଶଦୀପ ସିଂ : ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂହଙ୍କ ପାଇଁ ବର୍ଷ ୨୦୨୨ ସ୍ମରଣୀୟ ହୋଇ ରହିବ । ସେ ଚଳିତ ବର୍ଷ ଦିନିକିଆରେ ଡେବ୍ୟୁ କରିବା ସହିତ ଏସିଆ କପ ଓ ଟି୨୦ ବିଶ୍ବକପରେ ସେ ତାଙ୍କ ପ୍ରତିଭାର ଛାପ ଛାଡିଛନ୍ତି । ଅର୍ଶଦୀପ ସିଂହ ଜୁଲାଇ ୭ ତାରିଖରେ ଟି୨୦ ଫର୍ମାଟରେ ଡେବ୍ୟୁ କରିଥିଲେ । ଜୁଲାଇ ମାସରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ଅର୍ଶଦୀପ ସିଂହଙ୍କୁ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଡେବ୍ୟୁ କରିବାରେ ସୁଯୋଗ ମିଳିଥିଲା । ଏହି ସୁଯୋଗ ତାଙ୍କ ଜୀବନର ମୋଡ ବଦଳାଇଦେଇଥିଲା । ଡେବ୍ୟୁ ମ୍ୟାଚରେ ତାଙ୍କୁ ହିଟ୍ ମ୍ୟାନ୍ ରୋହିତ ଶର୍ମା ଡେବ୍ୟୁ କ୍ୟାପ ଦେଇଥିଲେ । ଏହା ପରେ ତାଙ୍କୁ ଏସିଆ କପ ଓ ଟି୨୦ ବିଶ୍ବକପ ଭଳି ମେଗା ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ମିଳିଥିଲା । ଏହା ପରେ ସେ ସେ ନଭେମ୍ବର ୨୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ।
ଉମରାନ ମଲ୍ଲିକ : ଜାମ୍ମୁ କାଶ୍ମୀରର ଏହି ଯୁବ ଫାଷ୍ଟ ବୋଲର ଜୁନ ୨୬ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ଟି୨୦ ଫର୍ମାଟରେ ପ୍ରଥମେ ଡେବ୍ୟୁ କରିଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା । ତାଙ୍କୁ ହର୍ଷଲ ପଟେଲ ବଦଳରେ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିଥିଲା । ଏହା ପରେ ସେ ନଭେମ୍ବର ୨୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହା ସହିତ ତାଙ୍କୁ ଡେବ୍ୟୁ କ୍ୟାପ ମଧ୍ୟ ଦିଆଯାଇଥିଲା । ଆଇପିଏଲରେ ଉମରାନ ମଲ୍ଲିକ ତାଙ୍କ ବୋଲିଂ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରିଥାନ୍ତି ।
କୂଲଦୀପ ସେନ: କୂଲଦୀପ ସେନ ଡିସେମ୍ବର ୪ ତାରିଖରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ତାଙ୍କ ପାଇଁ ଏହି ଡେବ୍ୟୁ ମ୍ୟାଚ ବେଶ୍ ସ୍ମରଣୀୟ ରହିଥିଲା । କୂଲଦୀପ ଗୋଟିଏ ଓଭରରେ ୨ ୱିକେଟ ହାତେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କୁ ଏହି ମ୍ୟାଚରେ ୫ ଓଭର ବୋଲିଂ କରିବାର ସୁଯୋଗ ମିଳିଥିଲା । ସେ ୩୭ ରନ ବ୍ୟୟରେ ୨ ୱିକେଟ ହାତେଇଥିଲେ । ତାଙ୍କର ଆଭରେଜ ୭.୪୦ ରହିଥିଲା ।