ହାଇଦ୍ରାବାଦ: ବିଶ୍ବକପ୍ ପରାଜୟ ପରେ ପ୍ରଥମ ଥର ସୋସିଆଲ୍ ମିଡିଆରେ ନଜର ଆସିଲେ ରୋହିତ ଶର୍ମା । ଦୀର୍ଘ ଦିନର ନୀରବତା ପରେ ସୋସିଆଲ୍ ମିଡିଆକୁ ଫେରିଲେ ରୋହିତ୍ ଶର୍ମା । ପତ୍ନୀ ରିତିକା ସଜଦେହଙ୍କ ସହିତ ଛୁଟି କାଟୁଥିବା ଏକ ସୁନ୍ଦର ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ପୋଷ୍ଟ କରିଛନ୍ତି ଭାରତୀୟ ଅଧିନାୟକ । ଗତ ନଭେମ୍ବର ୧୯ରେ ଖେଳାଯାଇଥିବା ବିଶ୍ବକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତର ଅପ୍ରତ୍ୟାଶିତ ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରୁ ଦୂରରେ ଥିଲେ ।
ବିଶ୍ବକପ୍ ୨୦୨୩ ପରାଜୟର ଦୁଃଖ ଏବେ ପର୍ଯ୍ୟନ୍ତ ଭାରତୀୟ ପ୍ରଶଂସକଙ୍କ ମନରୁ ଲିଭିନି । ତେବେ ଆମ ଖେଳାଳିଙ୍କ ଅବସ୍ଥା କିଭଳି ଥିବ ଏହା ସହଜରେ ଅନୁମେୟ । ଏହି ପୀଡ଼ା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ଖେଳାଳିଙ୍କ ଆଖିରେ ଦେଖିବାକୁ ମିଳିଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ମାତ୍ର ଗୋଟିଏ ଖରାପ ଦିନ କାରଣରୁ ଦଳ ଟ୍ରଫି ଉଠାଇବାରୁ ବଞ୍ଚିତ ହୋଇଥିଲା । ଏହି ଦୁଃଖଦ ଦିନର କିଛିଦିନ ପରେ ଏକାଧିକ ଖେଳାଳି ଏହି ଦୁଃଖରୁ ବାହାରି ସମର୍ଥନ ପାଇଁ ପ୍ରଶଂସକଙ୍କୁ ସୋସିଆଲ୍ ମିଡିଆରେ ଧନ୍ୟବାଦ ଦେଇଥିଲେ । ହେଲେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କ ପୋଷ୍ଟକୁ ଅପେକ୍ଷା କରିଥିଲେ । କାରଣ ସେବେଠାରୁ କୌଣସି ବି ସାମାଜିକ ଗଣମାଧ୍ୟମରେ ନଜର ଆସିନଥିଲେ ରୋହିତ । କିଛି ଏପରି ଭିଡିଓ ଭାଇରାଲ ହୋଇଥିଲା, ଯାହା ପ୍ରଶଂସକଙ୍କ ଦୁଃଖକୁ ଆହୁରି ଦ୍ବିଗୁଣିତ କରିଥିଲା । ପତ୍ନୀ ରିତିକାଙ୍କ ସହ ରୋହିତଙ୍କ କୁନି ଝିଅ ସମାଇରା ଏହି ଭିଡିଓରେ ନଜର ଆସିଥିଲେ । ଏଥିରେ ସମାଇରା କହିଥିଲେ, "ବାପା ଏକ ରୁମ୍ରେ ଅଛନ୍ତି । ସେ ସକାରାତ୍ମକ ଅଛନ୍ତି ଓ ୧ ମାସ ମଧ୍ୟରେ ସେ ପୁଣିଥରେ ହସିବେ ।"
ଏହା ମଧ୍ୟ ପଢ଼ନ୍ତୁ...ଆଉ ଟି୨୦କୁ ଫେରିବେନି ହିଟ୍ମ୍ୟାନ୍ ! BCCI ସୂତ୍ରରୁ ଅଶୁଭ ସଙ୍କେତ
ହେଲେ ବିଶ୍ବକପ୍ ପରାଜୟର ଦୀର୍ଘ ୮ ଦିନ ପରେ ଏବେ ରୋହିତ ଶର୍ମା ସୋସିଆଲ ମିଡିଆ ଦେଇ ନିଜ ପ୍ରଶଂସକଙ୍କ ନିକଟକୁ ଫେରିଛନ୍ତି । ରବିବାର ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିବା ସହ ପୁଣିଥରେ ସୋସିଆଲ୍ ମିଡିଆକୁ ଫେରିଛନ୍ତି ହିଟ୍-ମ୍ୟାନ୍ । ରୋହିତ ପୋଷ୍ଟ କରିଥିବା ଫଟୋରେ ସେ ନିଜ ପରିବାର ସହ ବିଦେଶରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି । ବିଶ୍ବକପ୍ ପରାଜୟ ଦୁଃଖରୁ ବାହାରିବା ପାଇଁ ରୋହିତ ପରିବାର ସହ ଏବେ ବିଦେଶରେ ଥିବା ଜଣାପଡ଼ିଛି । ଫଟୋରେ ରୋହିତ ଶର୍ମାଙ୍କ ସହିତ ତାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ନଜର ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ