ହାଇଦ୍ରାବାଦ: ଆଇପିଏଲ 2023ରେ ଆଜି 25 ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 192 ରନ ସଂଗ୍ରହ କରିଥିଲା ମୁମ୍ବାଇ । ତେବେ 193 ରନର ବଡ଼ ବିଜୟ ଲକ୍ଷ୍ୟ ଧରି ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ କେବଳ 178 ରନରେ ଅଟକି ଯାଇଛି ।
ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ହାଇଦ୍ରାବାଦ ଅଧିନାୟକ ଏଡେନ ମାର୍କ୍ରମ । ପ୍ରଥମରୁ ଦଳକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ଈଶାନ କିଶାନ । ତେବେ ଦଳୀୟ ସ୍କୋର 41 ହୋଇଥିବା ବେଳେ 18 ବଲରୁ 28 ରନ ସଂଗ୍ରହ କରିଥିବା ଅଧିନାୟକ ରୋହିତ ଶର୍ମା ଟି ନଟରାଜନଙ୍କ ବଲରେ ଧରା ପଡ଼ିଥିଲେ । ଏହାପରେ ଈଶାନ କିଶାନ ଓ କାମେରନ ଗ୍ରୀନଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଗଢ଼ି ଉଠୁଥିବା ବେଳେ ମାର୍କୋ ଜାନସେନଙ୍କ ଶିକାର ପାଲଟିଥିଲେ କିଶାନ । ସେ 31 ବଲରୁ 38 ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ସୂର୍ଯ୍ୟକୁମାର କେବଳ 7 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ତିଲକ ବର୍ମା 17 ବଲରୁ 4 ଛକା ଓ 2 ଚୌକା ବଳରେ ଦୃତ 37 ରନ ସଂଗ୍ରହ କରି ଆଉଟ ହୋଇଥିଲେ । ସେହିଭଳି ଟିମ ଡେଭିଡ 11 ବଲରୁ 16 ରନ କରି ରନ ଆଉଟ ହୋଇଥିଲେ । ତେବେ ଦଳ ପାଇଁ ଆଜି କାମେରନ ଗ୍ରୀନ ସର୍ବାଧିକ 40 ବଲରୁ ଅପରାଜିତ 64 ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 192 ରନରେ ପହଞ୍ଚିଥିଲା ।
ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ ସର୍ବାଧିକ 2 ୱିକେଟ ନେଇଥିବା ବେଳେ 43 ରନ ବ୍ୟୟ କରିଥିଲେ । ସେହିଭଳି ଭୁବନେଶ୍ବର କୁମାର ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ ନଟରାଜନ 4 ଓଭରରେ ସର୍ବାଧିକ 50 ରନ ଖର୍ଚ୍ଚ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଦଳର ଅନ୍ୟ କୌଣସି ବୋଲରଙ୍କୁ ଆଜି ସଫଳତା ମିଳିନଥିଲା ।
ଏହାପରେ 193 ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଯେଉଁଥିରେ ହ୍ୟାରୀ ବ୍ରୁକ ମାତ୍ର 9 ରନ କରି ଦ୍ବିତୀୟ ଓଭରରେ ଆଉଟ ହୋଇ ଦଳର ଚାପ ବଢ଼ାଇଥିଲେ । ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ 7 ରନ କରି ତୁରନ୍ତ ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ମାର୍କ୍ରମ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । କିନ୍ତୁ ମାର୍କ୍ରମ 17 ବଲରୁ 22 ରନ କରି ଆଉଟ ହୋଇଯାଇଥିଲେ । ଅଭିଷେକ ଶର୍ମା ମଧ୍ୟ ତୁରନ୍ତ ଆଉଟ ହୋଇଥିଲେ । ଏହାପରେ ହେନରିଚ କ୍ଲାସିନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ 16 ବଲରୁ 2 ଛକା ଓ 4 ଚୌକା ବଳରେ 36 ରନ କରି ପୀୟୁଷ ଚାୱଲାଙ୍କ ଶିକାର ପାଲଟିଥିଲେ । ଅନ୍ୟପଟେ ପାଳି ସମ୍ଭାଳୁଥିବା ମୟଙ୍କ ଅଗ୍ରୱାଲ 41 ବଲରୁ 48 ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କୋ ଜାନସେନ 13 ଓ ୱାଶିଂଟନ ସୁନ୍ଦର 10 ରନ କରି ଆଉଟ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଆଜି 2 ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ଫଳରେ ଦଳ 19.5 ଓଭରରେ ସମସ୍ତ ୱିକେଟ ହରାଇ 178 ହିଁ କରିପାରିଥିଲା ।
ସେପଟେ ମୁମ୍ବାଇ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଜାଶନ ବେରେନଡ୍ରଫ, ରିଲେ ମେରେଡିଥ ଓ ପୀୟୁଷ ଚାୱଲା 2ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅର୍ଜ୍ଜୁନ ତେନ୍ଦୁଲକର ଓ କାମେରନ ଗ୍ରୀନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ତେବେ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି କାମେରନ ଗ୍ରୀନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ