ମୁମ୍ବାଇ: ଆଇପିଏଲର 14ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ନିଜର ସ୍ପିନ ଯାଦୁ ଦେଖାଇବେ ଇଂଲଣ୍ଡ ସ୍ପିନର ମୋଇନ ଅଲୀ। ଏହାକୁ ନେଇ ସେ ଖୁସି ଜାହିର କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ତତ୍ତ୍ବାବଧାନରେ ଖେଳିବା ପ୍ରତ୍ୟେକ ଖେଳାଳିଙ୍କ ପ୍ରଥମ ଇଚ୍ଛା ଥାଏ ବୋଲି ମୋଇନ ଅଲୀ କହିଛନ୍ତି ।
ଚଳିତ ଆଇପିଏଲ ମହାକୁମ୍ଭ ପାଇଁ ମୋଇନ ଅଲୀଙ୍କୁ 7 କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍। ଗତ ଫେବ୍ରୁଆରୀ ମାସରେ ଆଇପିଏଲ 14 ପାଇଁ ନିଲାମି କରାଯାଇଥିଲା ।
ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗ୍ସର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ମୋଇନ ଅଲୀ କହିଛନ୍ତି ଯେ, "ପ୍ରତ୍ୟେକ ମ୍ୟାଚକୁ ନେଇ ଚେନ୍ନାଇ ସୁପରକିଙ୍ଗ୍ସଙ୍କ ଏକ ଗଠନମୂଳକ ନୀତି ରହିଛି । ଏହାହିଁ ଚେନ୍ନାଇ ସୁପର କିଙ୍ଗ୍ସକୁ ଅନ୍ୟ ଦଳଠାରୁ ଭିନ୍ନ କରିଥାଏ । ପ୍ରତ୍ୟେକ ସ୍ଥିତିରେ ଏହି ଦଳ ଅତି ଶାନ୍ତ ଦେଖାଯାଏ । ଏହି ଫ୍ରାଞ୍ଚାଇଜି ସହ ଖେଳିଥିବା ବହୁ ଖେଳାଳିଙ୍କ ସହ ମୁଁ କଥା ହୋଇଛି। ଧୋନୀଙ୍କ ସେମାନଙ୍କ ଖେଳରେ କିଭଳି ଉନ୍ନତି ଆଣିଛନ୍ତି ତାହା ବି ମୁଁ ଶୁଣିଛି । ମୋତେ ଲାଗୁଛି ଧୋନୀଙ୍କ ଅଧିନାୟକତ୍ବରେ ଖେଳିବାକୁ ପ୍ରତ୍ୟେକ ଖେଳାଳି ଚାହିଁବେ । ତାଙ୍କସହ ଗୋଟିଏ ମ୍ୟାଚ ଖେଳିବାକୁ ମୁଁ ଉତ୍ସାହିତ ଅଛି।"
ମୋଇନ ଅଲୀ ସ୍ବଭାବରେ ଜଣେ ଶାନ୍ତ କ୍ରିକେଟର। ଏହାକୁ ହିଁ ସେ ନିଜ କ୍ରିକେଟ କ୍ୟାରିଅରର ଆଧାର ମାନନ୍ତି। ସେହିଭଳି ଭାବରେ ଧୋନୀ ମଧ୍ୟ ଜଣେ ଶାନ୍ତ ସ୍ବଭାବର ବ୍ୟକ୍ତିତ୍ବ। ମ୍ୟାଚରେ ପ୍ରତ୍ୟେକ ଚାପଗ୍ରସ୍ତ ସ୍ଥିତିକୁ ଅତି ସହଜରେ ଆପଣେଇ ନିଅନ୍ତି ବୋଲି କହିଛନ୍ତି ମୋଇନ ଅଲୀ। ଏପ୍ରିଲ 10 ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ପ୍ରଥମ ମ୍ୟାଚ ଦିଲ୍ଲା କ୍ୟାପିଟାଲ୍ସ ସହ ଖେଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ