ସିଡନୀ: ଅଷ୍ଟ୍ରେଲିଆ ମାଟିରେ ଭାରତ ହାତରୁ ଖସିଲା ଦିନିକିଆ ସିରିଜ। 3 ଟିକିଆ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ 2-0ରେ ଆଗୁଆ ରହିଛି। ଦ୍ବିତୀୟ ଦିନିକିଆରେ ମଧ୍ୟ କଙ୍ଗାରୁ ଦଳଠାରୁ ଭାରତ 51 ରନରେ ପରାସ୍ତ ହୋଇଛି। ତେବେ ଦଳର ଖରାପ ବୋଲିଂ ଯୋଗୁଁ ସିରିଜ ହାରିଥିବା କଥା କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ମ୍ୟାଚ ଶେଷ ହେବାପରେ ଏଭଳି ବୟାନ ଦେଇଛନ୍ତି ରନ ମେସିନ ବିରାଟ କୋହଲି।
ଗତ ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚରେ ହିଁ ଭାରତୀୟ ବୋଲର ଲାଇନ ଲେନ୍ଥରେ ବୋଲିଂ କରି ପାରି ନଥିଲେ। ଏହାର ଫାଇଦା ଉଠାଇଥିଲା କଙ୍ଗାରୁ ଦଳ। ଦ୍ବିତୀୟ ମ୍ୟାଚରେ ବି ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରିନଥିଲେ। ଫଳରେ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ବିଶାଳ 389 ସ୍କୋର କରିଥିଲା ।
ମ୍ୟାଚ ଶେଷ ହେବାରେ ବିରାଟ କୋହଲି କହିଛନ୍ତି ଯେ, "ଆମ ବୋଲରମାନ ସଠିକ ଲାଇନରେ ବୋଲିଂ କରିବାରେ ବିଫଳ ହୋଇଥିଲେ। ନିୟମିତ ଅନ୍ତରାଳରେ ଆମେ ୱିକେଟ ନେବାର ଥିଲା । କିନ୍ତୁ ତାହା ଆମ ପକ୍ଷରେ ସମ୍ଭବ ହୋଇ ପାରିନଥିଲା। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ ଥିବା ଦଳ ବିରୋଧରେ ସଠିକ ଲାଇନରେ ବୋଲିଂ ନକରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହାସହ ଅଷ୍ଟ୍ରେଲିଆ ଘୋରଇ ମାଟିରେ ଖେଳୁଛି। ଏହାର ଭରପୁର ଫାଇଦା ତାଙ୍କୁ ମିଳିଛି।"
ଅଷ୍ଟ୍ରେଲିଆ ବିରୋଧରେ ଭାରତ ଦୁଇଟି ଦିନିକିଆ ଖେଳିଛି। ଦୁଇଟି ଯାକ ଦିନିକିଆରେ ଭାରତକ ପରାସ୍ତ ହେବାକୁ ପଡ଼ିଛି। ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆର କେବଳ 4ଟି ୱିକେଟ ନେବାରେ ସଫଳ ହୋଇଥିଲା ଟିମ ଇଣ୍ଡିଆ। ଏଥି ମଧ୍ୟରେ ଡେଭିଡ ୱାର୍ଣ୍ଣର ରନଆଉଟ ହୋଇଥିଲେ। ମହୋମ୍ମଦ ସାମୀ 9 ଓଭର ବୋଲିଂ କରି 73 ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ। ସେହିଭଳି ବୁମରାହଙ୍କ ମଧ୍ୟ ନିଜ ଫର୍ମ ଫେରି ପାଇବାରେ ଅସଫଳ ରହିଛନ୍ତି। ସେ 10 ଓଭର ବୋଲିଂ କରି 79 ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭର ବୋଲିଂ କରି 24 ରନ ଦେଇ ଗୋଟିଏ ୱିକେଟନ ନେଇଥିଲେ। ତେବେ ହାତରେ ଯନ୍ତ୍ରଣା ଯୋଗୁଁ ସେ ଆଉ ବୋଲିଂ କରି ପାରିନଥିଲେ।
ଏହି 3 ବୋଲରଙ୍କ ଛଡ଼ା ଆଉ କେହି ୱିକେଟ ନେଇ ପାରିନଥିଲେ। ଚହଲ 9 ଓଭର ବୋଲିଂ କରି 71 ରନ ଦେଇଥିଲେ। ଜାଡେଜା 10 ଓଭର ବୋଲିଂ କରି 60 ରନ ଦେଇଥିଲେ। ନବଦୀପ ସାଇନି 7 ଓଭର ବୋଲିଂ କରି 70 ରନ ଦେଇଥିଲେ। 50 ଓଭରରେ ଆମେ 338 ରନ କରିବା ପରେ ବି ବିଜୟ ଲକ୍ଷ୍ୟ ପାଇଁ ଆହୁରି 51 ରନ ଆବଶ୍ୟକ ହେଉଥିଲା। 389ର ବିଶାଳ ସ୍କୋର ଯୋଗୁଁ ଆମ ଉପରେ ସବୁବେଳେ ରନ କରିବା ପାଇଁ ଚାପ ରହିଥିଲା। ଏହାସହ ଅଷ୍ଟ୍ରେଲିଆ ବୋଲର ମଧ୍ୟ ସଠିକ ଲାଇନରେ ବୋଲିଂ କରିଥିଲେ। ଏଥିପାଇଁ ଆମେ ମ୍ୟାଚ ହାରିଲୁ ବୋଲି କହିଛନ୍ତି ବିରାଟ କୋହଲି।