ହାଇଦ୍ରାବାଦ: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଯାଇଛି 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ । ଭାରତର ବିଜୟ ଧାରାରେ ବ୍ରେକ ଲଗାଇଲା ଓ୍ବେଷ୍ଟଇଣ୍ଡିଜ । ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ମାତ୍ର 4 ରନରେ ଭାରତକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଘରୋଇ ଦଳ । ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ବୋଲିଂରେ ଭାରତୀୟ ବ୍ୟାଟର ଘାଇଲା । ଘାତକ ବୋଲିଂ ଯୋଗୁଁ ଜାସନ ହୋଲ୍ଡ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ । ମୋଟ 20 ଓଭରରେ ଦଳ 149 ରନ କରି ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ରନର ପିଛା କରି ଭାରତ ମୋଟ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 145 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମାତ୍ର 4 ରନରେ ଓ୍ବେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ବିଜୟୀ ହୋଇଛି ।
ଗୁରୁବାର ରାତିରେ ବ୍ରାଏନ ଲାରା ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମ୍ୟାଚ । ଓ୍ବେଷ୍ଟଇଣ୍ଡିଜ ଓପନର ବ୍ରାଣ୍ଡନ କିଙ୍ଗ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । 4ଟି ଚୌକା ସହ ଗୋଟିଏ ଛକା ମାରି 28 ରନରେ ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ 30 ରନ ବେଳକୁ ଆଉ ଗୋଟିଏ ଓ୍ବିକେଟର ପତନ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୂରନ 41 ରନ, ପୋଓ୍ବେଲ 48, ସିମରନ ହେତମାୟର 10 ରନ କରି ଆଉଟ ହୋଇଥିଲେ । ଅନ୍ୟ କେହି ଖେଳାଳୀ ଦୁଇ ଅଙ୍କ ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଶେଷରେ 6 ଓ୍ବିକେଟ ହରାଇ ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ ।
ଏହା ମଧ୍ୟ ପଢନ୍ତୁ-India vs West Indies: ଆଜିଠୁ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ, ବିଜୟ ଲକ୍ଷ୍ୟରେ ଭାରତ
ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା ପାଣ୍ଡ୍ୟାଙ୍କ ଟିମ । ପ୍ରଥମେ ଓପନିଂ ଯୋଡି ଭାବେ ଶୁଭମନ ଗିଲ ଓ ଇଶାନ କିଷନ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଉଭୟଙ୍କ ଯୋଡି ଅଧିକ ସମୟ ପାଇଁ ପଡିଆରେ ତିଷ୍ଠି ପାରିନଥିଲା । ଗିଲ 3 ରନ ଓ ଇଶାନ ମାତ୍ର 6 ରନରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଏହାପରେ ପାଳି ସମ୍ଭାଳିବାକୁ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ମାତ୍ର 21 ରନରେ ଆଉଟ ହୋଇଥିଲେ ସୂର୍ଯ୍ୟକୁମାର ।
ଏହାପରେ ତିଳକ ମାତ୍ର 39 କରି ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ବୋଲିଂରେ ଆଉଟ ହୋଇଥିଲେ । ସେହି ସମୟରେ ଦଳୀୟ ସ୍କୋର ମାତ୍ର 77 ହୋଇଥିଲା । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁସାସମନଙ୍କ ଯୋଡି ଦଳୀୟ ସ୍କୋରକୁ 113ରେ ପହଞ୍ଚାଇଥିଲା । କିନ୍ତୁ 13 ରନରେ ପାଣ୍ଡ୍ୟା ଓ 12 ରନରେ ଉଭୟ ଆଉଟ ହୋଇଥିଲେ । ଏହାପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ଶେଷ ଭାଗରେ ଅକ୍ଷର ପଟେଲ 13 ଓ ଅର୍ଶଦୀପ ସିଂ 12 ରନ କରିଥିଲେ ମଧ୍ୟ ତାହା ବିଜୟ ହେବା ପାଇଁ ପର୍ଯ୍ୟାପ୍ତ ରନ ନଥିଲା । ଭାରତର ପକ୍ଷରୁ ଚହଲ ଓ ଅର୍ଶଦୀପ 2 ଲେଖାଏଁ ଓ୍ବିକେଟ ନେଇଥିଲେ ।