ହାଇଦ୍ରାବାଦ: ଆଗାମୀ ୩ ମାସ ପାଇଁ ଟିମ ଇଣ୍ଡିଆର ଖେଳସୂଚୀ ଜାରି କରିଛି ବିସିସିଆଇ । ଜାନୁଆରୀ ପ୍ରଥମ ସପ୍ତାହରେ ହେବାକୁ ଥିବା ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି୨୦ ଏବଂ ଦିନିକିଆ ସିରିଜ ଖେଳିବ । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇନାହିଁ । ମିଡିଆ ରିପୋର୍ଟ ଅନୁସାରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଶ୍ରୀଲଙ୍କା ବିପକ୍ଷଟି୨୦ ସିରିଜରେ ଟିମ ଇଣ୍ଡିଆର କମାଣ ରହିପାରେ । କାରଣ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଏପର୍ଯ୍ୟନ୍ତ ଠିକ ହୋଇନାହିଁ ।
ଟି୨୦ ସିରିଜ ପାଇଁ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସର ପ୍ରୋମୋ ଭାଇରାଲ ହେବାରେ ଲାଗିଛି । ଏହି ପ୍ରୋମୋରୁ ଯାହା ସଙ୍କେତ ଆସୁଛି କି ହାର୍ଦ୍ଦିକ ପାଣ୍ଡ୍ୟା ହିଁ ଟି୨୦ ସିରିଜରେ ଅଧିନାୟକତ୍ବ କରିବେ । ପ୍ରୋମୋରେ ହାର୍ଦ୍ଦିକ ପାଣ୍ଡ୍ୟା ଷ୍ଟାଡିୟମରେ ବସିଥିବାର ଦେଖିବାକୁ ମିଳିଛି । ପାଣ୍ଡ୍ୟା ଏଥିରେ କହୁଛନ୍ତି କି ସେ ତାଙ୍କ ନେତୃତ୍ବରେ ଶ୍ରୀଲଙ୍କାକୁ ଜିତିବାକୁ ଦେବେ ନାହିଁ । କାରଣ ଜଙ୍ଗଲ ତାଙ୍କର ହେବା ସହିତ ତାଙ୍କର ହିଁ ନିୟମ ଚାଲିବ । ପାଣ୍ଡ୍ୟା ମଧ୍ୟ ନିଜ ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି । ସେପଟେ ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜରେ କେଏଲ ରାହୁଲଙ୍କର ପ୍ରଦର୍ଶନ ଏତେଟା ଆଖି ଦୃଶିଆ ରହିନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଆୟରଲାଣ୍ଡ, ୱେଷ୍ଟଇଣ୍ଡିଜ, ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି । ଆଶା କରାଯାଉଛି ଆସନ୍ତା ମଙ୍ଗଳବାର ବିସିସିଆଇ ଟି୨୦ ଏବଂ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆ ସ୍କ୍ବାଡ ଘୋଷଣା କରିପାରେ । ସେପଟେ ଶ୍ରୀଲଙ୍କା ଏସିଆ କପ ୨୦୨୨ ଚମ୍ପିଆନ ଆଖ୍ୟା ଅର୍ଜନ କିରିଛି ।
ଭାରତ ବନାମ ଶ୍ରୀଲଙ୍କା ଖେଳସୂଚୀ
ଜାନୁଆରୀ ୩ ତାରିଖ - ପ୍ରଥମ ଟି୨୦ - ମୁମ୍ବାଇ
ଜାନୁଆରୀ ୫ ତାରିଖ - ଦ୍ବିତୀୟ ଟି୨୦ - ପୁଣେ
ଜାନୁଆରୀ ୭ ତାରିଖ - ତୃତୀୟ ଟି୨୦ - ରାଜକୋଟ
ଜାନୁଆରୀ ୧୦ ତାରିଖ - ପ୍ରଥମ ଦିନିକିଆ - ଗୌହାଟୀ
ଜାନୁଆରୀ ୧୨ ତାରିଖ - ଦ୍ବିତୀୟ ଦିନିକିଆ - କୋଲକାତା
ଜାନୁଆରୀ ୧୫ ତାରିଖ ତୃତୀୟ ଦିନିକିଆ - ତ୍ରିଭେନ୍ଦ୍ରେମ