ମୁମ୍ବାଇ: ଭରତୀୟ କ୍ରିକେଟର ତଥା କ୍ୟାପ୍ଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । 33 ବର୍ଷରେ ପାଦ ଥାପିଛନ୍ତି ବିରାଟ । 1988 ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ଭାରତୀୟ କ୍ରିକେଟ ଟିମରେ ସାମିଲ ହେବା ପୂର୍ବରୁ ଅଣ୍ଡର-19 ଟିମରେ ସେ ଦକ୍ଷତା ପ୍ରତିପାଦନ କରିଛନ୍ତି ।
ବିରାଟ ବର୍ତ୍ତମାନ ଭାରତୀୟ ଦିନିକିଆ ଦଳ ଓ ଟି-20 ଦଳର କ୍ୟାପ୍ଟେନ ଅଛନ୍ତି । ଏଥିସହ ଆଇପିଏଲ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ମଧ୍ୟ ଅଧିନାୟକ ଅଛନ୍ତି । ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ସେ ମଧ୍ୟ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ ।
ଏହାର କିଛି ମାସ ପରେ ଭାରତୀୟ ଟିମରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି ବିରାଟ । ସେହିପରି 2018ରେ ଭାରତୀୟ କ୍ରୀଡାର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କୁ ମଧ୍ୟ ଭାରତର ରନ୍ ମେସିନ୍ ବୋଲି କୁହାଯାଏ ।
ମାତ୍ର ବିରାଟଙ୍କ କ୍ୟାରିୟରରେ ଭଟ୍ଟା ସୃଷ୍ଟି ହୋଇଛି । ଆଇପିଏଲରେ ତାଙ୍କର ଏବଂ ତାଙ୍କ ଟିମର ଖରାପ ପ୍ରଦର୍ଶନ ପରେ ICC ବିଶ୍ବକପ ମ୍ୟାଚରେ ମଧ୍ୟ ସମାନ ଦଶା ଦେଖିବାକୁ ମିଳିଛି । ଯାହାକୁ ନେଇ ତାଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନବାଚ ସୃଷ୍ଟି ହୋଇଛି । ବିଶେଷ କରି ବିଶ୍ବକପରେ ପ୍ରଥମ କରି ପାକିସ୍ତାନ ଠାରୁ ଭାରତୀୟ ଟିମ୍ ହାରିବା ପରେ ବିରାଟଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ଫ୍ୟାନ୍ସ ଏବଂ କ୍ରିକେଟ ସମୀକ୍ଷକ । 3ଟି ମ୍ୟାଚରୁ ଭାରତ 2 ଟି ହାରି ଥିଲେ ମଧ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରି ସମ୍ମାନ ବଞ୍ଚାଇଛି ।
ଏଥିସହ ଗ୍ରୁପ-2ର ପଏଣ୍ଟ ଟେବୁଲ 4 ରେ ଅଛି ଭାରତୀୟ ଦଳ । ବର୍ତ୍ତମାନ ବିରାଟ ବିଶ୍ବକପ ମ୍ୟାଚ ପାଇଁ ଦୁବାଇରେ ଅଛନ୍ତି । ସେଠାରେ ସାଥୀ ଖେଳାଳିମାନେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ମଧ୍ୟ ଭାରତ ବିପକ୍ଷରେ ସ୍କଟଲାଣ୍ଡ ସହ ମ୍ୟାଚ ଅଛି । ତେବେ ବିରାଟ ବାହିନୀ ସ୍କଟଲାଣ୍ଡ ଉପରେ ବିଜୟ ସହ ତାଙ୍କ ଜନ୍ମଦିନ ପାଳନ କରିବେ ବୋଲି ସମସ୍ତଙ୍କ ଆଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ