ହାଇଦ୍ରାବାଦ: ପୂର୍ବତନ ଇଂଲଣ୍ଡ ବ୍ୟାଟ୍ର ଜୋନାଥନ ଟ୍ରଟ୍ ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍(Afghanistan Head Coach) ନିଯୁକ୍ତ ହୋଇଛନ୍ତି । ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ଶୁକ୍ରବାର ଏନେଇ ଘୋଷଣା କରିଛି । ଅଗଷ୍ଟ ମାସରେ ଆଫଗାନିସ୍ତାନର ଆୟରଲାଣ୍ଡ ଗସ୍ତଠାରୁ ଟ୍ରଟ୍ ମୁଖ୍ୟ କୋଚ୍ ଭାର ଗ୍ରହଣ କରିବେ ।
ଜୋନାଥନ ଟ୍ରଟ୍ ନିଜ ସମୟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ରହିଥିଲେ । ବର୍ଷ 2009ରୁ 2015 ମଧ୍ୟରେ ସେ 52ଟି ଟେଷ୍ଟ ମ୍ୟାଚ୍ ଖେଳି 44.08 ହାରରେ 3835 ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ 9ଟି ଶତକ ଓ 19ଟି ଅର୍ଦ୍ଧଶତକୀୟ ଇଂନିସ ସାମିଲ ରହିଛି । 226 ରନ୍ କ୍ରିକେଟର ଲମ୍ବା ଫର୍ମାଟରେ ଟ୍ରଟ୍ଙ୍କ ସର୍ବଶ୍ରେଷ୍ଠ ସ୍କୋର୍ । ସେହିପରି ଟ୍ରଟ୍ 68ଟି ଅନ୍ତର୍ଜାତୀୟ ଦିନିକିଆ(ODIs) ମ୍ୟାଚ୍ରେ ଇଂଲଣ୍ଡର ପ୍ରତିନିଧିତ୍ବ କରିଛନ୍ତି । ଏହି ଫର୍ମାଟରେ 51.25 ହାରରେ 2838 ରନ୍ ତାଙ୍କ ନାମରେ ରହିଛି । ଏହାମଧ୍ୟରେ 4ଟି ଶତକ ଓ 22ଟି ଅର୍ଦ୍ଧଶତକୀୟ ଇଂନିସ ସାମିଲ ରହିଛି ।
ଆଫଗାନିସ୍ତାନ କ୍ରିକେଟ ଟିମ ଅଗଷ୍ଟ ମାସ ଆରମ୍ଭରେ ଆୟରଲାଣ୍ଡ ଗସ୍ତରେ ଯାଇ 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳିବାର ସୂଚୀ ରହିଛି । ଅଗଷ୍ଟ 9ରୁ ଏହି ସିରିଜ ଆରମ୍ଭ ହେବ ।