ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନିକିଆ ବିଶ୍ବକପ୍ ୨୦୨୩ । ଏହା ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଦଳକୁ ଲାଗିଛି ବଡ଼ ଝଟ୍କା । ଇଂଲଣ୍ଡର ତାରକା ବ୍ୟାଟର ଆଲେକ୍ସ ହେଲ୍ସ ହଠାତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ ଏନେଇ ଶୁକ୍ରବାର ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ ଶେୟାର କରିଛନ୍ତି । ତେବେ ଦୀର୍ଘ ଦିନରୁ ସେ ଇଂଲଣ୍ଡ ଜାତୀୟ ଦଳରୁ ଦୂରରେ ରହିଥିଲେ । ଗତ ବର୍ଷ ହୋଇଥିବା ଟି୨୦ ବିଶ୍ବକପ୍ରେ ସେ ଇଂଲଣ୍ଡ ଦଳରେ ସାମିଲ ଥିଲେ । ଉକ୍ତ ବିଶ୍ବକପ୍ରେ ଇଂଲଣ୍ଡ ଫାଇନାଲ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଟିମ୍ ଇଣ୍ଡିଆରେ ସାମିଲ ହେବେନି ସାମସନ !
ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଥିବା ପୋଷ୍ଟରେ ୩୪ ବର୍ଷୀୟ ଆଲେକ୍ସ କହିଛନ୍ତି, "ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ତିନୋଟି ଫର୍ମାଟକୁ ମିଶାଇ ୧୫୬ ଥର ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବା ମୋ ପାଇଁ ସୈାଭାଗ୍ୟର ବିଷୟ ଥିଲା । ଏହାରି ଭିତରେ ମୁଁ କିଛି ସ୍ମୃତି ଏବଂ ବନ୍ଧୁତା ସାରା ଜୀବନ ପାଇଁ ସଂଗ୍ରହ କରିଛି । ଏବେ ଆଗକୁ ବଢ଼ିବାର ସଠିକ ସମୟ ବୋଲି ଭାବୁଛି । ଇଂଲଣ୍ଡ ପାଇଁ ଖେଳିବା ସମୟରେ ଉତ୍ଥାନ-ପତନ ଦେଖିଛି । ଏହା ମୋ ପାଇଁ ଏକ ଅବିଶ୍ବସନୀୟ ଯାତ୍ରା ଥିଲା । ମୋର ଦଳ ପାଇଁ ଶେଷ ମ୍ୟାଚ୍ ବିଶ୍ବକପ୍ ଫାଇନାଲ ଥିଲା । ଏହି ସମୟରେ ମୋର ବନ୍ଧୁ, ପରିବାର, ପ୍ରଶଂସକମାନେ ମୋତେ ବେଶ ସମର୍ଥନ କରିଥିଲେ ।" ତେବେ ସେ ଘରୋଇ କ୍ରିକେଟରେ ନଟିଂହାମଶାୟର ସହ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Stuart Broad Retirement: ବ୍ରଡଙ୍କୁ ଗାର୍ଡ ଅଫ୍ ଅନର ଦେଲା ଅଷ୍ଟ୍ରେଲିଆ, ଭାବବିହ୍ବଳ ଦର୍ଶକ
ତେବେ ୨୦୧୯ ଦିନିକିଆ ବିଶ୍ବକପ୍ ପାଇଁ ଆଲେକ୍ସଙ୍କ ନାମ ଇଂଲଣ୍ଡ ଦଳରେ ସାମିଲ ଥିଲା । ହେଲେ ସେ ଡ୍ରଗ୍ସ ନେଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ସେ ୩ ବର୍ଷ ଯାଏଁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିଲେ । ହେଲେ ଗତବର୍ଷ ପାକିସ୍ତାନ ବିପକ୍ଷ ସିରିଜ ଜରିଆରେ ସେ ଜାତୀୟ ଦଳକୁ ଫେରିଥିଲେ । ଏବେ ସେ ଦିନିକିଆ ବିଶ୍ବକପ୍ ୨୦୨୩ ପୂର୍ବରୁ ଅବସର ନେବାକୁ ଘୋଷଣା କରିବା ପରେ ଇଂଲଣ୍ଡକୁ ବଡ଼ ଝଟ୍କା ଲାଗିଛି ବୋଲି କୁହାଯାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ