ହାଇଦ୍ରାବାଦ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍ ୨୦୨୩ରେ ପାକିସ୍ତାନ ଟିମ୍ର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଆରମ୍ଭରୁ କ୍ରମାଗତ ୨ଟି ମ୍ୟାଚ୍ ଜିତି ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିବା ବାବାର ବାହିନୀ ଏହାପରେ ଲଗାତାର ଭାବେ ୪ ମ୍ୟାଚ୍ ଶୋଚନୀୟ ଭାବେ ହାରିଛି । ଯାହାକୁ ନେଇ ପାକିସ୍ତାନରେ ନିଜ ଦେଶର କ୍ରିକେଟରଙ୍କୁ ବେଶ ସମାଲୋଚନା କରାଯାଉଛି । ଏପରିକି ଦଳର ପୂର୍ବତନ ଅଧିନାୟକ ତଥା ପିସିବି ମୁଖ୍ୟ ଚୟନ କର୍ତ୍ତା ଇଞ୍ଜମାମ୍ ଉଲ୍ ହକ୍ଙ୍କୁ ମଧ୍ୟ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହାରି ମଧ୍ୟରେ ସୋମବାର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଇଞ୍ଜମାମ୍ ଉଲ୍ ହକ୍ ।
ବିଶ୍ବକପ୍ ୨୦୨୩ରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରି ଆସୁଛି ପାକିସ୍ତାନ ଦଳ । ଏନେଇ ପାକିସ୍ତାନରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କ୍ରିକେଟରମାନେ ଦଳକୁ ତୀବ୍ର ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । କେହି ବାବର ଆଜମଙ୍କ ନେତୃତ୍ବକୁ ଦାୟୀ କରୁଥିବାବେଳେ କେହି ଚୟନ କର୍ତ୍ତାଙ୍କୁ ଦାୟୀ କରିଛନ୍ତି । ଏଭଳି ବିଭିନ୍ନ ସମାଲୋଚନା କାରଣରୁ ଇଞ୍ଜମାମ୍ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ସୋମବାର ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପିସିବି ମୁଖ୍ୟ ଜାକା ଅଶ୍ରଫଙ୍କୁ ପଠାଇ ଦେଇଛନ୍ତି ।
କେବଳ ସେତିକି ନୁହେଁ, ଖରାପ ପ୍ରଦର୍ଶନ ପାଇଁ ଦଳ ମଧ୍ୟରେ ଅନ୍ତଃକନ୍ଦଳ ମଧ୍ୟ ଚାଲିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ପାକିସ୍ତାନର କିଛି ସାମ୍ବାଦିକ ଏନେଇ ବିବୃତ୍ତି ପ୍ରକାଶ କରିଥିଲେ । ସେମାନଙ୍କ ମତରେ ଦଳରେ କିଛି ଖେଳାଳିଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ପିସିବି ଏଭଳି ଖବରକୁ ଖଣ୍ଡନ କରିଥିଲା । ଏହି ବିବାଦ ଥମି ନଥିବାବେଳେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରଶିଦ ଲତିଫଙ୍କ ଏକ ବୟାନ ସାମ୍ନାକୁ ଆସିଥିଲା । ପିସିବି ଅଧ୍ୟକ୍ଷ ଜାକା ଅଶ୍ରଫଙ୍କ ସମେତ ଅନ୍ୟ ଅଧିକାରୀମାନେ ବାବରଙ୍କ ସମେତ ବିଶ୍ବକପ୍ ଖେଳୁଥିବା ଅନ୍ୟ ଖେଳାଳିଙ୍କ ମେସେଜକୁ ଅଣଦେଖା କରିବାରେ ଲାଗିଛନ୍ତି ବୋଲି ସେ ଅଭିଯାଗ କରିଥିଲେ । ଏପରିକି ଖେଳାଳିଙ୍କୁ ପିସିବି ୫ ମାସ ହେଲା ଦରମା ମଧ୍ୟ ଦେଉ ନାହିଁ ବୋଲି ସେ ଦାବି କରିଥିଲେ । ଏହାରି ଭିତରେ ପିସିବି ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମ୍ ଉଲ୍ ହକ୍ଙ୍କ ଇସ୍ତଫା ବିବାଦକୁ ରୋଚକ ମୋଡ଼କୁ ଆଣିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ