ହାଇଦ୍ରାବାଦ: ବର୍ଷ 2017 ଆଜିର ଦିନରେ କ୍ରିକେଟ ଇତିହାସରେ ଏକ ନିଆରା ରେକର୍ଡର ଅଧିକାରୀ ହୋଇଥିଲେ ମିତାଲି ରାଜ । ମହିଳା କ୍ରିକେଟ ଇତିହାସରେ ଭାରତୀୟ ଦିନିକିଆ କ୍ୟାପଟେନ ମିତାଲି ରାଜ 50 ଓଭର ମ୍ୟାଚରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ଆଇସିସି ମହିଳା ବିଶ୍ବକପ ମ୍ୟାଚରେ ସେ ଏହି ସଫଳତାର ଅଧିକାରୀ ହୋଇଥିଲେ । ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର କାର୍ଲୋଟ ଏଡୱାର୍ଡଙ୍କ ନାମରେ ରହିଥିଲା । 69 ରନର ଇଂନିସ ଖେଳି ମିତାଲି ଏଡୱାର୍ଡଙ୍କୁ ଅତିକ୍ରମ କରିଥିଲେ ।
ଏହି ସଂସ୍କରଣର ବିଶ୍ବକପରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ମାତ୍ର ଫାଇନାଲରେ ଇଂଲଣ୍ଡ ଠାରୁ 9ରନରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାସ୍ତ ହୋଇ ବିଶ୍ବକପ ହାତଛଡା କରିଥିଲା ।
37 ବର୍ଷୀୟ ମିତାଲି ରାଜ ଜଣେ ମହିଳା କ୍ରିକେଟର ଭାବେ ସର୍ବାଧିକ 209ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 50.64 ଆଭରେଜରେ 7ଟି ଶତକ ଓ 53ଟି ଅର୍ଦ୍ଧଶତକ ସହାୟତାରେ 6,888 ରନ ସଂଗ୍ରହ କରିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଟି-20 କ୍ରିକେଟରୁ ଅବସର ନେଇଥିଲେ ମିତାଲି । ଟି-20 କ୍ରିକେଟରେ ମଧ୍ୟ ନିଜର ବ୍ୟାଟିଂ ଜଲୱା ଦେଖାଇଛନ୍ତି ଏହି ଭେଟେରାନ ଭାରତୀୟ ମହିଳା କ୍ରିକେଟର । 2000 ଟି-20 ରନ ହାସଲ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । ମୋଟ 89ଟି ଟି-20 ମ୍ୟାଚରୁ 2,364 ରନ ସଂଗ୍ରହ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ