ହାଇଦ୍ରାବାଦ: ଆଜିର ଦିନରେ କୋହଲିଙ୍କ ବ୍ୟାଟରୁ ବାହାରି ଥିଲା ଦିନିକିଆ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍କୋର୍ । ଆଜିର ଦିନରେ ବିଶ୍ବ ଦେଖିଥିଲା ବିରାଟଙ୍କ ବିରାଟ ରୂପ । ଏମିତ ମଧ୍ୟ ଚର୍ଚ୍ଚା ହୁଏ ଆଜିର ଦିନରେ ଭାରତକୁ ମିଳିଥିଲା ଆଉ ଏକ ମହାନ କ୍ରିକେଟର । ଆଉ ଏଥି ସହ ଭାରତ ଠାରୁ ପାକିସ୍ତାନ ଚାଖିଥିଲା ଆଉ ଏକ ପରାଜୟର ସ୍ବାଦ ।
ସେହିଦିନ ଥିଲା ମାର୍ଚ୍ଚ 18, 2012 । ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର 183 ରନ୍ ହିଟ କରିଥିଲେ ବିରାଟ କୋହଲି । ତେବେ କୋହଲିଙ୍କ ଏହି ପାଳିରେ ସାମିଲ ଥିଲା 22ଟି ଚୌକା ଓ ଗୋଟିଏ ଛକା । କୋହଲିଙ୍କ ଏହି ନକ୍ ଭାରତକୁ 50 ଓଭର ମଧ୍ୟରେ 330 ରନରେ ପହଞ୍ଚାଇଥିଲା । ତେବେ ଏହା ଥିଲା କୋହଲିଙ୍କ ଏକାଦଶ ଦିନିକିଆ ଶତକ । ଏହା ପରେ ସେ କ୍ୟାରିଅରରେ ଯୋଡିଲେଣି ଆହୁରି 32 ଟି ଶତକ ।
ତେବେ କୌତୁହଳର ବିଷୟ ହେଉଛି, ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ ସର୍ବଶ୍ରେଷ୍ଠ ଦିନିକିଆ ସ୍କୋର ମଧ୍ୟ 183 । ରନମେସିନ୍ ଭାବରେ ଚର୍ଚ୍ଚିତ କୋହଲିଙ୍କ ପାଖରେ ଅନେକ ରେକର୍ଡ ରହିଛି । 86 ଟେଷ୍ଟ ମ୍ୟାଚରୁ ସେ 27 ଶତକ ଏବଂ 22 ଅର୍ଦ୍ଧଶତକ ସହିତ 7,240 ରନ୍ କରିଛନ୍ତି | ସେହିପରି 248 ଦିନିକିଆରେ ସେ 11,867 ରନ୍ ସ୍କୋର କରିଥିଲେ ଏବଂ ହାରାହାରି 59.34 ରନ୍ କରିଥିଲେ । ଟି-20 ଫର୍ମାଟରେ, ସେ 81 ଟି ମ୍ୟାଚରୁ 24 ଅର୍ଦ୍ଧଶକ ସାହାଯ୍ୟରେ ହାରାହାରି 50.80 ରେ 2,794 ରନ୍ ସଂଗ୍ରହ କରିଛନ୍ତି ।