ନୂଆଦିଲ୍ଲୀ: ଘନଉଛି ରାଜ୍ୟ କ୍ରିକେଟ ବୋର୍ଡ ଓ କ୍ରିକେଟ ପ୍ରଶାସକ କମିଟି ମଧ୍ୟରେ ବିବାଦ । ବିସିସିଆଇ ସମ୍ବିଧାନ ଅନୁସାରେ ତାମିଲନାଡୁ, ହରିୟାଣା ଓ ମହାରାଷ୍ଟ୍ର କ୍ରିକେଟ ବୋର୍ଡରେ ନିର୍ବାଚନ ହୋଇନଥିବା ପ୍ରଶାସକ କମିଟି ଆପତ୍ତି ଉଠାଇଥିଲା । ଏହାକୁ ନେଇ ଏହି ତିନି ରାଜ୍ୟର କ୍ରିକେଟ ବୋର୍ଡକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।
ତେବେ ଏହି ନୋଟିସର କଡା ଜବାବ ରଖିଛି ତାମିଲନାଡୁ କ୍ରିକେଟ ଆସୋସିଏସନ(TNCA) । କ୍ରିକେଟ ପ୍ରଶାସକ କମିଟିର ନିର୍ବାଚନରେ ଅନିୟମିତା ନେଇ ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି ଉତ୍ତରରେ ଦର୍ଶାଯାଇଛି ।
ଅକ୍ଟୋବର 23ରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ହୋଇନପାରେ । ଇଲେକ୍ସନ ନୁହେଁ ଚଳିତ ଥର ସିଲେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି କ୍ରିକେଟ ପ୍ରଶାସକ କମିଟି ତାମିଲନାଡୁ କ୍ରିକେଟ ଆସୋସିଅସନକୁ ବାସନ୍ଦ କରନ୍ତି, ତେବେ ବୋର୍ଡ ଉପରେ କୌଣସି ପ୍ରବାବ ପଡିବନି ବୋଲି ଚର୍ଚ୍ଚା ହେଉଛି । ତାମିଲନାଡୁ କ୍ରିକେଟ ବୋର୍ଡର ନବନିର୍ବାଚିତ ସଭାପତି ହୋଇଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ । ସେଥିପାଇଁ ପରଦା ପଛରେ ରହି ଶୀନିବାସନ ନିଜର ଦବଦବା ଜାହିର କରିବାକୁ ଚାହୁଁଥିବା ଜଣାପଡିଛି । ବିସିସିଆଇ ବୋର୍ଡ ରୁମରେ ଶ୍ରୀନିବାସନ ନିଜର ପ୍ରତିନିଧି ରଖିବାକୁ ନେଇ ମଧ୍ୟ ମଧ୍ୟ ଗୋଟି ଚାଳନା କରୁଛନ୍ତି । ଏନେଇ ନିଜ ନାମ ଗୋପନ ରଖି ଜଣେ ବିସିସିଆଇର ଅଧିକାରୀ ସୂଚନା ଦେଇଛନ୍ତି ।