କଟକ: ଗୁରୁବାର ଠାରୁ ଚାଲିଛି ଓଡିଶା କ୍ରିକେଟ ଆସୋଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗିରଫ ହାଇ ଭୋଲଟେଜ୍ ଡ୍ରାମା । ଆଉ ଇତିମଧ୍ୟରେ ଆଜି ଶେଷ ହୋଇଛି ଓସିଏ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ମୋଟ 6ଟି ପଦ ପାଇଁ 12 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ମଧ୍ୟ ସାମିଲ ଅଛନ୍ତି ଆଶୀର୍ବାଦଙ୍କ ସାନ ପୁଅ ସଞ୍ଜୟ ବେହେରାଙ୍କ ନାମାଙ୍କନ ।
ତେବେ ବିଦ୍ଧିବଦ୍ଧ ଭାବେ ନିର୍ବାଚନ କମିଶନର ଏମଏଲ ମଜୁମଦାରଙ୍କ ଉପସ୍ଥିତିରେ ନୂତନ ସମ୍ବିଧାନ ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀମାନେ । ଏହି ପ୍ରାର୍ଥୀ ତାଲିକାରେ ସଭାପତି ପଦ ପାଇଁ ବୌଦ୍ଧ ଜିଲ୍ଲାର ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୟୁନିୟନ ସ୍ପୋଟିଂ କ୍ଳବ ପକ୍ଷରୁ ପ୍ରଦୀପ ଚୌହାନ ଏହି ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି ।
ସେହିପରି ଉପସଭାପତି ପଦ ପାଇଁ ଅନଗୁଳର ଅକ୍ଷୟ କୁମାର ସାମନ୍ତ ଓ ସୋନପୁରର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ସାମିଲ ଅଛନ୍ତି । ସମ୍ପାଦକ ପଦ ପାଇଁ ଆଶୀର୍ବାଦ ବେହେରାଙ୍କ ସାନ ପୁଅ ସଞ୍ଜୟ ବେହେରା ନାମାଙ୍କନ ଭରିଥିବାବେଳେ ତାଙ୍କ ବିପକ୍ଷରେ ମଙ୍ଗଳା କ୍ଳବ ପକ୍ଷରୁ ନବ ରଞ୍ଜନ ପଟ୍ଟନାୟକ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏହାସହ ଯୁଗ୍ମ ସମ୍ପାଦକ ପାଇଁ ଝାରସୁଗୁଡାର ମେହେତାଵ ଖାନ ଓ ସୁନ୍ଦରଗଡର ପ୍ରଭାତ କୁମାର ଭୋଳ ନାମାଙ୍କନ ଭରିଛନ୍ତି । ଏହିକ୍ରମରେ କୋଷାଧକ୍ଷ ପଦ ପାଇଁ ଖୋର୍ଦ୍ଧାର ବିକାଶ ପ୍ରଧାନ ଓ ଜଗତସିଂହପୁରର ଅନୀଲ କୁମାର ବିଶ୍ବାଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶେଷରେ ଆପେକ୍ସ କାଉନସିଲ ସଦସ୍ୟ ପାଇଁ ଏକମାତ୍ର ଭାବେ କେନ୍ଦ୍ରାପଡାର ସୁଭାସିସ ସେନାପତି ନାମାଙ୍କନ ଦାଖଲ କରିଛନ୍ତି ।
ଅନ୍ୟପଟେ ଆଶୀର୍ବାଦ ବେହେରାଙ୍କ ଗିରଫ ପରେ ତାଙ୍କ ଭୋଟ ଦେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହାର ଉତ୍ତରରେ ନିର୍ବାଚନ କମିଶନର ଏମଏଲ ମଜୁମଦାର କହିଛନ୍ତି, "କୋର୍ଟ ଯଦି ଚାହିଁବେ ତେବେ ଆଶୀର୍ବାଦ ବେହେରା ଭୋଟ ଦେଇ ପାରିବେ ।"
ତେବେ ଶୁକ୍ରବାର ପ୍ରାର୍ଥୀମାନଙ୍କ ଯାଞ୍ଚ ପ୍ରକ୍ରିୟା ଓ ପରେପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ଏହାପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ