କ୍ରିଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ କ୍ରିକେଟ ଆଶୋସିଏନ ସିଇଓ ଡେଭିଡ ହ୍ବାଇଟ ଗୁରୁବାର କହିଛନ୍ତି ଯେ, ଜୁଲାଇ ପୂର୍ବରୁ ଟି-20 ବିଶ୍ବକପ ଘୁଞ୍ଚାଇବା ନେଇ କୌଣସି ନିଷ୍ପତ୍ତି ହୋଇ ପାରିବ ନାହିଁ ।
କୋରୋନା ମହାମାରୀ ପାଇଁ ଅକ୍ଟୋବର 18 ରୁ ନଭେମ୍ବର 15 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବକପ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
‘‘ପରିସ୍ଥିତିକୁ ନେଇ ଅନେକ ଯୋଜନା ହେଉଛି ଅନେକ ଆଲୋଚନା ମଧ୍ୟ ହେଉଛି କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି କୌଣସି ନିଷ୍ପତ୍ତି ହୁଏ... ତେବେ ଏହା ଜୁଲାଇରେ ହିଁ ହୋଇ ପାରିବ,’’ ବୋଲି ହ୍ବାଇଟ ସାମ୍ବାଦିକଙ୍କ ସହ ହୋଇଥିବା କନଫରେନ୍ସ କଲରେ କହିଛନ୍ତି ।
କ୍ରିକେଟ ଅଷ୍ଟ୍ରେଲିଆ ସରକାରୀ ଅଧିକାରୀଙ୍କ ସହ ମିଶି ଅକ୍ଟୋବର ଓ ନଭେମ୍ବର ମାସରେ ବିଶ୍ବକପ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ହ୍ବାଇଟ କହିଛନ୍ତି ।
ନ୍ୟୁଜିଲାଣ୍ଡରେ ହେବାକୁ ଥିବା 2021 ମହିଳା ବିଶ୍ବକପ ନେଇ ହ୍ବାଇଟ କହିଛନ୍ତି ଯେ, ‘‘ମହିଳା ବିଶ୍ବକପ ଘୁଞ୍ଚାଯିବା ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇ ନାହିଁ । ମହିଳା ବିଶ୍ବକପ ନ୍ୟୁଜିଲାଣ୍ଡ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ତେବେ ଏହାକୁ ଘୁଞ୍ଚାଇବା ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ ।’’