କଟକ: ନାଗେଶ ଟ୍ରଫିରେ ବିଜୟ ଅଭିଯାନକୁ ଫେରିଲା ଓଡିଶା ଦୃଷ୍ଟିହୀନ ଦଳ । ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ କର୍ଣ୍ଣାଟକଠୁ ହାରିବା ପରେ ରବିବାର କ୍ରମାଗତ 2ଟି ବିଜୟ ହାସଲ କରିଛି ଓଡିଶା । ପ୍ରଥମ ମ୍ୟାଚରେ ସୁଖରାମ ମାଝୀଙ୍କ ଅପରାଜିତ 75 ରନର ଦମଦାର ପାଳି ବଳରେ ବିପକ୍ଷ ଦଳ ଉତ୍ତରପ୍ରଦେଶକୁ ମାତ ଦେବାରେ ସହାୟକ ହୋଇଛି ଓଡ଼ିଶା।
ଟସ ଜିତି ବ୍ୟାଟିଂ ଆରମ୍ଭ କରଥିବା ଓଡିଶା ନିର୍ଧାରିତ 15 ଓଭରରେ 3 ୱିକେଟ ହରାଇ 141 ରନ କରିଥିଲା । ଦଳ ପକ୍ଷରୁ ସୁଖରାମ ମାଝୀ ସର୍ଵାଧିକ 75 ରନ କରିଥିଲେ । ଜବାବରେ ବିଜୟ ଲକ୍ଷକୁ ଧାର୍ଯ୍ୟ କରିବାରେ ଅସଫଳ ହୋଇଥିଲା ଉତ୍ତରପ୍ରଦେଶ । ନିର୍ଦ୍ଧାରିତ 15 ଓଭରରେ 7 ୱିକେଟ ହରାଇ 101 ରନ ହିଁ କରିବାକୁ ସକ୍ଷମ ହୋଇଥିଲା ଦଳ । ଦଳ ପକ୍ଷରୁ ଫୈଜଲ ସର୍ବାଧିକ 29 ରନ କରିଥିଲେ।
ସେହିପରି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଗୋଆକୁ ଦୃଢ଼ ରନ ବ୍ୟବଧାନରେ ମାତ ଦେଇଛି ଓଡିଶା । ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ନିର୍ଧାରିତ 20 ଓଭରରେ 2 ୱିକେଟ ହରାଇ ବିଶାଳ 238 ରନ କରିଥିଲା। ଦଳ ପକ୍ଷରୁ ସୁଖରାମ ମାଝୀ ଅପରାଜିତ 122 ଓ ନକୁଳଙ୍କ 86 ରନ ବଳରେ ଦଳ ଏହି ବିଶାଳ ସ୍କୋର ଛିଡା କରିପାରିଥିଲା ।
ଜବାବରେ ବିପକ୍ଷ ଗୋଆ ନିର୍ଧାରିତ 20 ଓଭରରେ 9 ୱେକେଟ ହରାଇ 115 ରନ ହିଁ କରିଥିଲା । ଦଳ ପକ୍ଷରୁ ଆଶୁତୋଷ ସର୍ବାଧିକ 32 ରନ କରିଥିଲେ । ଓଡିଶା ପକ୍ଷରୁ ଅଧିନାୟକ ଜାଫର ଇକୱଲ 4 ଟି ୱିକେଟ ନେଇ ଗୋଆକୁ ପରାଜୟର ରାସ୍ତା ଦେଖାଇଥିଲେ । ଏହି ମ୍ୟାଚରେ ମଧ୍ୟ ସୁଖରାମ ମାଝୀଙ୍କୁ ମ୍ୟାନ ଅଫ ମ୍ୟାଚ ଘୋଷଣା କରାଯାଇଥିଲା।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ