ମୁମ୍ବାଇ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ମନେ ପକାଇଛନ୍ତି କ୍ରିକେଟ ପଡିଆରେ ସେ ଦେଖିଥିବା ସବୁଠାରୁ ‘ବେଷ୍ଟ ବ୍ୟାଟେଲ’ । ଯାହାକି କ୍ରିକେଟର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ସେନ ୱାର୍ନଙ୍କ ମଧ୍ୟରେ ହୋଇଥିଲା ।
ଲକ୍ଷ୍ମଣ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ଚର୍ଚ୍ଚିତ 1998 ଟେଷ୍ଟ ମ୍ୟାଚର ସ୍ମୃତିକୁ ମନେ ପକାଇଥିଲେ ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଭାରତ ପ୍ରଥମ ଇନିଂସରେ 257 ରନ କରି ଅଲ ଆଉଟ ହୋଇଥିଲା । ଯେଉଁଥିରେ ତେନ୍ଦୁଲକର ମାତ୍ର ଚାରି ରନ କରିଥିଲେ ।
![VVS Laxman, emotional Sachin, Tendulkar locked himself in physio's room, ଫିଜିଓଙ୍କ ରୁମରେ ନିଜକୁ ବନ୍ଦ କରିଥିଲେ ସଚିନ, ଭିଭିଏସ ଲକ୍ଷ୍ମଣ, ସଚିନ ତେନ୍ଦୁଲକର, ସେନ ୱାର୍ନ](https://etvbharatimages.akamaized.net/etvbharat/prod-images/shane-warne-and-sachin-tendulkar-picture_3004newsroom_1588262307_2.jpg)
‘‘ଚେନ୍ନାଇରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ସଚିନ ପ୍ରକୃତରେ ଭଲ ଭାବରେ ପ୍ରସ୍ତୁତ ଥିଲେ। ପ୍ରଥମ ଇନିଂସରେ ସେ ମାତ୍ର ଚାରି ରନ କରି ଆଉଟ ହୋଇଥିଲେ। ସେ ଏକ ଚଉକା ମାରିଥିଲେ ଏବଂ ପରେ ମିଡ-ଅନ ଦେଇ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିବା ବେଳେ ମାର୍କ ଟେଲରଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ,’’ ବୋଲି ଏକ ସ୍ପୋର୍ଟ୍ସ ଟକ ସୋରେ ଲକ୍ଷ୍ମଣ କହିଛନ୍ତି ।
"ମୋର ମନେ ଅଛି, ସଚିନ ନିଜକୁ ଫିଜିଓର କୋଠରୀରେ ତାଲା ପକାଇ ଦେଇଥିଲେ ଏବଂ ପ୍ରାୟ ଏକ ଘଣ୍ଟା ପରେ ବାହାରକୁ ଆସିଥିଲେ। ଯେତେବେଳେ ସେ ବାହାରକୁ ଆସିଲେ, ଆମେ ତାଙ୍କ ଆଖି ଲାଲ ହୋଇଥିବାର ଦେଖିଲୁ। ମୁଁ ଅନୁଭବ କଲି ଯେ ସେ ଅତ୍ୟନ୍ତ ଇମୋସ୍ନାଲ ହୋଇଯାଇଥିଲେ କାରଣ ସେ ଯେଉଁଭଳି ଭାବରେ ଆଉଟ ହେଲେ ତାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ।"
ସେ ଆହୁରି ମଧ୍ୟ କହିଛନ୍ତି । ଏହାର ଉତ୍ତରରେ ଅଷ୍ଟ୍ରେଲିଆ 328 ରନ ସଂଗ୍ରହ କରି ପ୍ରଥମ ଇନିଂସରେ 71ରନରେ ଆଗୁଆ ହୋଇଥିଲା । ତଥାପି, ଭାରତ ଜୋରଦାର କମବ୍ୟାକ କରି 418/4 ରନରେ ପାଳି ଘୋଷଣା କଲା । ମାଷ୍ଟର ବ୍ଲାଷ୍ଟର 155ର ଏକ ବିଚକ୍ଷଣ ପାଳି ଖେଳିଥିଲେ । ଯେଉଁଥିରେ 14 ଚଉକା ଏବଂ 4 ଛକା ଅନ୍ତର୍ଭୁକ୍ତ ଥିଲା ।’’
ଲକ୍ଷ୍ମଣ କହିଛନ୍ତି ଯେ, ‘‘ଲେଗ ଷ୍ଟମ୍ପ ବାହାରେ ଅତି ଭୟଙ୍କର ବୋଲିଂ କରୁଥିବା ସେନ ୱାର୍ନଙ୍କୁ ସଚିନ ଯେମିତି ପ୍ରହାର କରୁଥିଲେ ତାହା ଅବିଶ୍ବନୀୟ ଥିଲା।’’
"ୱାର୍ନ କ୍ରିଜର ଗଭୀରତା ବ୍ୟବହାର କରୁଥିଲେ ଏବଂ ଯେତେବେଳେ ବୋଲିଂ କରୁଥିଲେ, ସଚିନ ଏହାକୁ ମିଡ୍ ଅଫ୍, ମିଡ୍ ଅନ୍ ଦେଇ ସଟ ଖେଳୁଥିଲେ। ସେ ଶତକ ମଧ୍ୟ ହାସଲ କରିଥିଲେ। ସଚିନ ଓ ୱାର୍ନଙ୍କ ମଧ୍ୟରେ ଏହି ଲେଢେଇ, କ୍ରିକେଟ ପିଚରେ ମୁଁ ଦେଖିଥିବା ସବୁଠାରୁ ଶ୍ରେଷ୍ଠ ଲଢେଇ,’’ ବୋଲି କହିଥିଲେ ଲକ୍ଷ୍ମଣ ।
ଏହା ପରେ ଭାରତ 168 ରନରେ ଅଷ୍ଟ୍ରେଲିଆକୁ ଅଲ ଆଉଟ କରି 179 ରନରେ ମ୍ୟାଚ ଜିତିନେଇଥିଲା । ଅନିଲ କୁମ୍ବଲେ 46 ରନ ଦେଇ ସର୍ବାଧିକ 4ଟି ୱିକେଟ ହାତେଇ ଥିଲେ । ଭେଙ୍କଟପାଥି ରାଜୁ ମଧ୍ୟ 31 ରନ ଦେଇ ନେଇଥିଲେ 3 ୱିକେଟ ।