ହାଇଦ୍ରାବାଦ: ଆଇସିସି ବିଶ୍ବକପ ପ୍ରଥମ ସେମିଫାଇନାଲକୁ ବର୍ଷ ପୁରିଛି । 2019 ଜୁଲାଇ 9 ତାରିଖରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ, ଯାହା ବର୍ଷା ପାଇଁ ଦୁଇ ଦିନ ଧରି ଚାଲିଥିଲା । ନ୍ୟୁଜିଲାଣ୍ଡଠାରୁ 18ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ଭାରତ । ଆଉ ଏହି ମ୍ୟାଚ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି ପୂର୍ବତନ ଅଧିନାୟକ ଏମଏସ ଧୋନି ।
ଭାରତୀୟ କ୍ରିକେଟର ସେହି ହୃଦୟ ବିଦାରକ ମୁହୂର୍ତ୍ତକୁ ଆଉ ଥରେ ଅତୀତର ସ୍ମୃତିରୁ ମନେ ପକାଇବା । ଆଇସିସି ବିଶ୍ବକପ ସେମିଫାଇନାଲ ଇଂଲଣ୍ଡର ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନିଏ ନ୍ୟୁଜିଲାଣ୍ଡ । ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ ଆରମ୍ଭ କରେ ଭାରତ । ମ୍ୟାଚର ପ୍ରଥମ କେଇ ଓଭରରେ ଭାରତକୁ ମିଳେ ସଫଳତା । ବିପକ୍ଷ ଓପନର ମାର୍ଟିନ ଗପ୍ଟିଲଙ୍କୁ ସହଳ ପାଭିଲିଅନ ପଠାନ୍ତି ବୁମରା । ଜାରି ରହିଥାଏ ଭାରତର ଆକ୍ରମଣ । ବ୍ଲାକ କ୍ୟାପ ଦଳର ଅଭିଜ୍ଞ ରସ ଟେଲର ଓ ଅଧିନାୟକ କେନ୍ ଉଲିୟମସନଙ୍କୁ ଛାଡି ଦେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ଭାରତୀୟ ଆକ୍ରମଣ ସାମ୍ନାରେ ତିଷ୍ଠି ପାରନ୍ତି ନାହିଁ । ସବୁ କିଛି ବିରାଟଙ୍କ ଯୋଜନା ମୁତାବକ୍ ଚାଲିଥାଏ ।
ମାତ୍ର ହଠାତ୍ ଆରମ୍ଭ ହୋଇଯାଏ ବର୍ଷା । ଭାରତୀୟ ବୋଲିଂର 46ତମ ଓଭରର ପ୍ରଥମ ବଲରେ ଖେଳ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି ଅମ୍ପେୟାର । ସମସ୍ତଙ୍କ ମନରେ ଥାଏ ଆଶା ଓ ଆଶଙ୍କା । କଣ ହେବ ସେମିଫାଇନାଲର ଭାଗ୍ୟ । ଶେଷରେ 2ୟ ଦିନକୁ ସ୍ଥାନାନ୍ତରିତ ହୁଏ ମ୍ୟାଚ, ଅର୍ଥାତ ବୁଧବାର । ବାକି ଥିବା 23 ବଲ ଖେଳିବା ପାଇଁ ବ୍ୟାଟିଂ ଆସନ୍ତି କିୱି ଖେଳାଳି । ତେବେ 23 ବଲରୁ ମାତ୍ର 28ରନ ବ୍ୟୟରେ 3 ୱିକେଟ ହାସଲ କରନ୍ତି ଭାରତୀୟ ବୋଲର । ଫଳରେ ଭାରତୀୟ ଦଳ ସାମ୍ନାରେ ରହେ 240 ରନର ବିଜୟ ଲକ୍ଷ୍ୟ ।
ପରେ ବ୍ୟାଟିଂ ଆସନ୍ତି ମେନ ଇନ ବ୍ଲୁର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ । ସହଜ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ପାଇଁ ହଠାତ୍ ସବୁ ଯେମିତି ହୋଇଯାଏ ବୁମେରାଙ୍ଗ । ପ୍ରଥମେ ରୋହିତ ପରେ ବିରାଟ ଓ ତା ପରେ କେଏଲ ରାହୁଲ ଆଉଟ ହୋଇ ଫେରନ୍ତି ପାଭିଲିଅନ । ଟପ୍-3ଙ୍କୁ ହରାଇ ଭାରତୀୟ ଦଳ ହୋଇ ଯାଇଥାଏ ସ୍ତବ୍ଧ । ପରେ କିଛି ସମୟ ପଡିଆର ଭାଗିଦାରୀ କରନ୍ତି ପନ୍ତ-କାର୍ତ୍ତିକ ଓ ପାଣ୍ଡ୍ୟା । ମାତ୍ର ଏମାନଙ୍କ ଭାଗିଦାରୀ ବେଶି ଦୂର ଯାଇପାରେ ନାହିଁ । ଫଳରେ 100 ପୂର୍ବରୁ 6 ୱିକେଟ ହରାଇ ସାରିଥାଏ ଭାରତ ।
ଆଉ ଏହା ପରେ ପଡିଆକୁ ଆସନ୍ତି ଦଳର ସବୁଠାରୁ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି । ତେବେ ଧୋନି ଓ ରବୀନ୍ଦ୍ର ଜାଡେଜାଙ୍କ ଭାଗିଦାରୀ ଭାରତକୁ ବିଜୟ ଆଡକୁ ଧିରେ ଧିରେ ଅଗ୍ରସର କରୁଥାଏ । ମାତ୍ର ପୁଣି ଥରେ ସବୁ ହୋଇଯାଏ ଓଲଟ ପାଲଟ । ଭାଗ୍ୟର ବିଡମ୍ବାନା ପରି ମାର୍ଟିନ ଗପ୍ଟିଲଙ୍କ ଡାଇରେକ୍ଟ ହିଟ୍ରେ ରନ୍ଆଉଟ ହୁଅନ୍ତି ଧୋନି । ପୁରା ମାଞ୍ଚେଷ୍ଟର ପଡିଆ ହୋଇଯାଏ ଠପ୍ । କାନ୍ଦି ପକାନ୍ତ ରୋହିତ ଓ ବିରାଟ । ଆଉ ଛଳ ଛଳ ଆଖିରେ ପାଭେଲିଅନ ଫେରନ୍ତି ଧୋନି । ଶେଷରେ 18 ରନରେ ମ୍ୟାଚ ଜିତି ଫାଇନାଲରେ ପହଞ୍ଚିଯାଏ ନ୍ୟୁଜିଲାଣ୍ଡ । ଆଉ ଅଧା ରହିଯାଏ ବିରାଟଙ୍କ ମିସନ୍ ବିଶ୍ବକପ ସ୍ବପ୍ନ ।
ତେବେ ସେହି ଦିନଠାରୁ ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ଫେରି ନାହାନ୍ତି ଧୋନି । କେବେ ଫେରିବେ... ତାହା ବି ଆଶା ଆଶଙ୍କା ଭିତରେ । ତେଣୁ ଧୋନି ଶୀଘ୍ର ଦଳକୁ ଫେରିବା ଓ ଆଗାମୀ ବିଶ୍ବକପକୁ ଭାରତ କବ୍ଜା କରିବା ପାଇଁ ଆଶାବାଦୀ ରହିଛନ୍ତି ପ୍ରତି ଭାରତୀୟ କ୍ରିକେଟ ପ୍ରେମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ