ଆବୁଧାବି: ଆଇପିଏଲର 32ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେଉଛି ମୁକାବିଲା । କେକେଆର କ୍ୟାପଟେନ ଇଆନ ମୋର୍ଗାନ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ କେକେଆର ସଂଗ୍ରହ କରିଛି 148 ରନ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 149 ରନର ବିଜୟ ଲକ୍ଷ୍ୟ ରହିଛି ।
କେକେଆର ପକ୍ଷରୁ ସର୍ବାଧିକ ରନହାସଲକାରୀ ଖେଳାଳି ରହିଛନ୍ତି ପାଟ କମିନ୍ସ । ଅଲରାଉଣ୍ଡର କମିନ୍ସ, 36 ବଲରୁ 5 ଚୌକା ଓ 2 ଛକା ସହାୟତାରେ ଅପରାଜିତ 53 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କାର୍ତ୍ତିକଙ୍କ ସ୍ଥାନରେ କ୍ୟାପଟେନ ଦାୟିତ୍ବ ସମ୍ଭାଳିଥିବା ଇଆମ ମୋର୍ଗାନ ମଧ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 2 ଚୌକା ଓ 2 ଛକା ସହାୟତାରେ 29 ବଲରୁ 39 ରନର ଇଂନିସ ସହ ଟିମର ସ୍କୋର 140 ପାର କରାଇଥିଲେ ।
ଆରମ୍ଭରୁ ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦିନେଶ କାର୍ତ୍ତିକଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା କେକେଆର । ସ୍ଥିତି ଏପରି ହୋଇଥିଲା ଯେ, ମ୍ୟାଚର 11ତମ ଓଭର ସୁଦ୍ଧା ନାଇଟରାଇଡର୍ସର ଅଧା ଖେଳାଳି ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ । ତେବେ ଶୁଭମନ ଗିଲ 21 ରନର ଉପଯୋଗୀ ଯୋଗଦାନ କରିଥିଲେ । କପରେ ମୋର୍ଗାନ ଓ କମିନ୍ସଙ୍କ ଯୋଡି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ।
ମୁମ୍ବାଇ ପକ୍ଷରୁ ରାହୁଲ ଚହର ସବୁଠୁ କଞ୍ଜୁସି ବୋଲିଂ ସହ ସର୍ବାଧିକ ଦୁଇଟି ୱିକେଟ ହାସଲ କରିଛନ୍ତି । ଚହର 4 ଓଭରରେ 18 ରନ ବ୍ୟୟରେ 2ଟି ଶିକାର କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ, ନାଥନ କୁଲଟର-ନାଇଲ ଓ ଜଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ