ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି । ଆୟର 68 ବଲରେ 71 ରନର ଉପଯୋଗୀ ଓ ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳି ମଧ୍ୟକ୍ରମରେ ସ୍ଥାନ ପାଇଁ ଦାବିଦାର ହୋଇଛନ୍ତି। ଏହି ଯୁବ କ୍ରିକେଟର ଭାରତୀୟ ଦଳରେ ପ୍ରାୟ ଗୋଟିଏ ବର୍ଷର ବ୍ୟବଧାନ ପରେ ସ୍ଥାନ ପାଇଛନ୍ତି ।
ଭାରତୀୟ ଦଳ ମଧ୍ୟକ୍ରମ ବ୍ୟାଟିଂକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ରହିଛି । ନିର୍ଭରଯୋଗ୍ୟ ଓ ମ୍ୟାଚ ୱିନର ଖେଳାଳି ସନ୍ଧାନରେ ରହିଛି । ମଧ୍ୟକ୍ରମର ଦୁର୍ବଳତାକୁ ଶେଷ କରିବାକୁ ଆୟର ଭଲ ବିକଳ୍ପ ହୋଇପାରିବେ । ମିଡିଲ ଓଭରରେ ରନରେଟକୁ ଆଗକୁ ବଢାଇବା ସହ, ପାର୍ଟନରସିପ ମଧ୍ୟ କରିବାରେ ମାହିର ଆୟର। ଶେଷ ପର୍ଯ୍ୟନ୍ତ ଖେଳି ମ୍ୟାଚ ଫିନିସ କରିବାର ଦକ୍ଷତା ମଧ୍ୟ ରହିଛି। ମଧ୍ୟକ୍ରମରେ ଆୟରଙ୍କୁ ସ୍ଥାନ ମିଳିଲେ ତାଙ୍କର ପ୍ରଦର୍ଶନ ସହ ଅଭିଜ୍ଞତା ମଧ୍ୟ ବୃଦ୍ଧି ପାଇବା ନେଇ ଚର୍ଚ୍ଚା ହେଉଛି ।
ଆୟର ନିଜେ ମଧ୍ୟ ପୂର୍ବରୁ ଦଳରେ ଚୟନକୁ ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି। ନିୟମିତ ଭାବେ ସୁଯୋଗ ମିଳିଲେ ଟିମ ଇଣ୍ଡିଆର ମଧ୍ୟକ୍ରମର ଅସୁବିଧା ଦୂର ହୋଇପାରିବ ବୋଲି ଚର୍ଚ୍ଚା ହେଉଛି। କ୍ୟାପଟେନ କୋହଲି ମଧ୍ୟ ଆୟରଙ୍କୁ ପ୍ରଶଂସା କରି ମ୍ୟାଚ ୱିନର କହିଛନ୍ତି ।