ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ସିରିଜ ପରେ ଲମ୍ବା ବ୍ରେକ ନେଇଥିବା ଭାରତୀୟ ଟିମ ଶନିବାର ଠାରୁ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ସିରିଜର ପ୍ରଥମ ମ୍ୟାଚ ଗୌହାଟିର ବାସରପାରା ଷ୍ଟାଡିୟମ ଠାରେ ଖେଳାଯିବ । ଏହି ସହରରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଏହା ଉପରେ ନଜର ରଖିଛି ବିସିସିଆଇ ଓ ଆସାମ କ୍ରିକେଟ ଆସୋସିଏନ । ଏସିଏ ଅଧ୍ୟକ୍ଷ ରୋମେନ ଦତ୍ତା କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।
ଦତ୍ତା କହିଛନ୍ତି, ପୋଲିସ ସୁରକ୍ଷାର ଦାୟିତ୍ବ ଖୁବ ଭଲ ଭାବେ ନିଭାଉଛି ଓ ପରିସ୍ଥିତି ନିୟନ୍ତ୍ରଣାଧିନ ରଖିଛି । ସେ କହିଛନ୍ତି ଯେ, ‘ବିରୋଧ ପ୍ରଦର୍ଶନ ଯୋଗୁଁ ସ୍ଥିତି ଖରାପ ଥିଲା କିନ୍ତୁ ବର୍ତ୍ତମାନ ସବୁ ଠିକ ଅଛି । ଆମେ ଷ୍ଟାଡିୟମ ଓ ଉଭୟ ଟିମର ସୁରକ୍ଷା ଦାୟିତ୍ବ ପୋଲିସ ଉପରେ ନ୍ୟସ୍ତ କରିଛୁ।’
କିନ୍ତୁ ଏସବୁ ଭିତରେ ଆଶ୍ଚର୍ଯ୍ୟର କଥା ହେଉଛି ଦତ୍ତାଙ୍କ ଅନୁସାରେ ଭାରତୀୟ ଟିମ ଶୁକ୍ରବାର ସକାଳେ ଗୌହାଟି ପହଁଞ୍ଚିବ, କିନ୍ତୁ ଭାରତୀୟ ଟିମ ପ୍ରବନ୍ଧନ କହିଛି ଯେ ଟିମ ଗୁରୁବାର ରାତିରେ ପହଁଞ୍ଚିବ ।
ଏସିଏ ଅଧ୍ୟକ୍ଷ ରୋନେନ ଦତ୍ତା କହିଛନ୍ତି , ‘ଶ୍ରୀଲଙ୍କା ଟିମ ଗୁରୁବାର ପହଁଞ୍ଚିବ ଓ ଭାରତୀୟ ଟିମ ଶୁକ୍ରବାର ସକାଳୁ ଆସିବ ।’ ସେପଟେ ଭାରତୀୟ ଟିମ ସଦସ୍ୟ କହିଛନ୍ତି ଯେ, ‘ଆମେ ଗୁରୁବାର ରାତିରେ ଗୌହାଟିରେ ପହଁଞ୍ଚିବୁ ।’ ନୂଆ ବର୍ଷରେ ଏହା ଭାରତର ପ୍ରଥମ ସିରିଜ, ଏହି ସିରିଜରେ ଭାରତ ବିଶ୍ବକପର ପ୍ରସ୍ତୁତି ମଧ୍ୟ କରିବାକୁ ଚାହିଁବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ