ୱେଲିଂଟନ: ପୁଣି ନ୍ୟୁଜିଲାଣ୍ଡ ପାଇଁ ଲକି ସାବ୍ୟସ୍ତ ହୋଇଛି ବେଶିନ ରିଜର୍ଭ ଗ୍ରାଉଣ୍ଡ, ୱେଲିଂଟନ । ଭାରତ ବିପକ୍ଷ ପ୍ରଥମ ଟେଷ୍ଟକୁ 10 ୱିକେଟରେ ଜିତି ନେଇଛି ୱିଲିୟମସନଙ୍କ ଦଳ। ଫଳରେ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ଦଳ ।
ଟିମ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ-ଅପ୍ । ପ୍ରଥମ ଇଂନିସରେ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିନଥିବା ବେଳେ 2ୟ ଇଂନିସରେ ଏକମାତ୍ର ମୟଙ୍କ ଅଗ୍ରୱାଲ 58 ରନ କରି ଆଉଟ ହୋଇଥିଲେ।

ପ୍ରଥମ ଇଂନିସ ଭଳି 2ୟ ଇଂନିସରେ ମଧ୍ୟ ବଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତୀୟ ଦଳ। ପ୍ରଥମ ଇଂନିସରେ 165ରନରେ ଅଲଆଉଟ ହୋଇଥିବା ଭାରତୀୟ ଦଳ, 2ୟ ଇଂନିସରେ ମାତ୍ର 191 ରନ କରିପାରିଥିଲା।

ନ୍ୟୁଜିଲାଣ୍ଡର 183 ରନର ପ୍ରଥମ ଇଂନିସ ଅଗ୍ରଣୀକୁ ପାର କରି ଭାରତ ମାତ୍ର 9 ରନ ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ 10 ୱିକେଟରେ ହାସଲ କରି ନେଇଥିଲା ଘରୋଇ ଦଳ। ଆଇସିସି ଟେଷ୍ଟ ଚମ୍ପିଆନସିପରେ ଭାରତର ଏହା ପ୍ରଥମ ପରାଜୟ। ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ଏହା 100ତମ ଟେଷ୍ଟ ମ୍ୟାଚ ବିଜୟ ହୋଇଛି। ପ୍ରଥମ ଇଂନିସରେ 4ଟି ଓ 2ୟ ଇଂନିସରେ 5ଟି ୱିକେଟ ହାସଲ କରି ଟିମ ସାଉଦୀ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି।