ମୁମ୍ବାଇ: ବର୍ଷର ପ୍ରଥମ ଦିନିକିଆରେ ପରାଜୟର ସ୍ବାଦ ଚାଖିଲା ଭାରତ । 10 ୱିକେଟରେ ଘରୋଇ ଦଳକୁ ମାତ୍ ଦେଲା ଅତିଥି ଅଷ୍ଟ୍ରେଲିଆ । ଦୁର୍ବଳ ବ୍ୟାଟଂ ପାଇଁ ପରାସ୍ତ ହେଲା ଟିମ ଇଣ୍ଡିଆ । ତେବେ ଭାରତର ପରାଜୟ ବ୍ୟତିତ ଅନ୍ୟ ଏକ ଚର୍ଚ୍ଚାର କାରଣ ସାଜିଛି ବିରାଟଙ୍କ ବ୍ୟାଟିଂ ଲାଇନ ଅର୍ଡରରେ ବ୍ୟତିକ୍ରମ ।
ନିୟମିତ ବ୍ୟାଟିଂ ଅର୍ଡର 3 ନମ୍ବର ସ୍ଥାନରୁ ଖସି 4 ନମ୍ବରେ ସ୍ଥାନରେ ବ୍ୟାଟିଂ ଆସିଥିଲେ କ୍ୟାପଟେନ କୋହଲି । ତେବେ ଏହି ସ୍ଥାନରେ ବ୍ୟାଟିଂ କରି ମାତ୍ର 16 ରନ କରିଥିଲେ ବିରାଟ । ବିରାଟଙ୍କ ଆଉଟ ହେବା ପରେ ଭାରତୀୟ ଦଳର ପାଳି ଟଳମଳ ହୋଇଥିଲା ।
ଆଜି (ମଙ୍ଗଳବାର) ଭାରତୀୟ ଏକଦାଶରେ ଥିଲେ 3 ଓପନର । 3ୟ ସ୍ଥାନରେ ବ୍ୟାଟିଂ ଆସିଥିଲେ ଲୋକେଶ ରାହୁଲ । ରାହୁଲ ଆଉଟ ହେବା ପରେ 4ର୍ଥ ସ୍ଥାନରେ ବ୍ୟାଟିଂ ଆସିଲେ କୋହଲି । ତେବେ ଏହା ପ୍ରଥମଥର ନୂହେଁ ପୂର୍ବରୁ କୋହିଲ ଅନେକ ଥର ନିଜକୁ ପରୀକ୍ଷା କରିବା ପାଇଁ 4ର୍ଥ ସ୍ଥାନରେ ବ୍ୟାଟିଂ ଆସିଛନ୍ତି । ଆଉ ପ୍ରତିଥର ଫେଲ ମାରିଛନ୍ତି । ଶେଷ 7ଟି ପାଳିରେ 4ନମ୍ବର ସ୍ଥାନରେ ବ୍ୟାଟିଂ କରି କୋହିଲ ଯଥାକ୍ରମେ 16, 7, 11, 3(ଅପରାଜିତ), 4, 9 ରନ ସ୍କୋର କରିଛନ୍ତି ।
ତେବେ ଭାରତୀୟ ମଧ୍ୟକ୍ରମର ଶକ୍ତି ଯୁବରାଜ ସିଂଙ୍କ ଅବସର ପରେ ଏବେ ପର୍ଯ୍ୟନ୍ତ ମଧ୍ୟକ୍ରମରେ ଅସୁବିଧାର ସାମ୍ନା କରୁଛି ଦଳ । ଯଦିଓ ଶେଷ ତିନୋଟି ମ୍ୟାଚରେ ଯୁବ ଶ୍ରେୟାସ ଆୟାର ନିଜର କରାମତି ଦେଖାଇଛନ୍ତି । ମାତ୍ର ତାହା ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ତେବେ ଏଠାରେ ଗୋଟିଏ ପ୍ରଶ୍ନ କେବେ ସମାଧାନ ହେବ ଭାରତୀୟ ମଧ୍ୟକ୍ରମ ବିପତ୍ତି ?