ଅହମ୍ମଦାବାଦ: ଅନୁଷ୍ଠିତ ହେଲା 89ତମ ବିସିସିଆଇର ବାର୍ଷିକ ସାଧାରଣ ବୈଠକ । ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହଙ୍କ ସମେତ ବିଭିନ୍ନ କ୍ରିକେଟ ଆସୋସିଏସନର 28ଜଣ ସଦସ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଅହମ୍ମଦାବାଦରେ ବିସିସିଆଇ ବାର୍ଷିକ ସାଧାରଣ ବୈଠକ(AGM) ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଟ 4ଟି ମୁଖ୍ୟ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି ।
ଆଇପିଏଲରେ ଅଧିକ ଦୁଇଟି ଟିମକୁ ଅନୁମତି, ପୃଥକ କ୍ରିକେଟ କମିଟି ଗଠନ ଓ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କୁ ନିର୍ଦ୍ବନ୍ଦ୍ବରେ ବିସିସିଆଇ ଉପ-ସଭାପତି ହେବାନେଇ ଚର୍ଚ୍ଚା ହୋଇଛି । 2022 ସଂସ୍କରଣର ଆଇପିଏଲରେ ଦଶଟି ଟିମ ଖେଳିବା ନେଇ ବୈଠକରେ ସ୍ଚଷ୍ଟ ହୋଇଛି ।
ଏଥିସହ ଆସନ୍ତାବର୍ଷ ଭାରତ ଆୟୋଜନ କରିବାକୁ ଥିବା ଟି-20 ବିଶ୍ବକପ ନେଇ ମଧ୍ୟ ଆଲୋଚନା ହୋଇଛି । ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟାକ୍ସ ରିହାତି ନେଇ ମଧ୍ୟ ଚର୍ଚ୍ଚା ହୋଇଛି ।
ଏଥିସହ 2028 ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ କି ନାହିଁ, ସେନେଇ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପଟେ 3 ଜଣିଆ ନୂତନ ଚୟନ କମିଟି ଗଠିତ ହେବାନେଇ ମଧ୍ୟ ଆଲୋଚନା ହୋଇଛି । ଏଥିପାଇଁ ଆବେଦନକାରୀଙ୍କ ନାମ ମଧ୍ୟ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଏସିଆନ କ୍ରିକେଟ ପରିଷଦରେ ବିସିସିଆଇର ପ୍ରତିନିଧି ନେଇ ମଧ୍ୟ ଆଲୋଚନା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ