ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୨୭୬/3 ରହିଛି । ଫଳରେ ଦ୍ବିତୀୟ ଦିନରେ ଏହି ଅସମାପ୍ତ ପ୍ରଥମ ଇଂନିସ ସ୍କୋରରୁ ଖେଳ ଆରମ୍ଭ କରିବ ଦଳ । ଓପନର କେଏଲ ରାହୁଲ ଦମଦାର ଶତକ ହାସଲ କରିବା ସହ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଅପରାଜିତ ଫେରିଥିଲେ । ୨୪୮ ବଲ୍ ସାମ୍ନା କରିବା ସହ ୧୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୭ରନ କରିସାରିଛନ୍ତି ରାହୁଲ ।
ଅନ୍ୟତମ ଓପନର ରୋହିତ ଶର୍ମାଙ୍କ ସହ ମିଶି ରାହୁଲ ପ୍ରଥମ ୱିକେଟ ଯୋଡିରେ ଶତକୀୟ ଭାଗିଦାରୀ କରିଥିଲେ । ରୋହିତ ୮୩ ରନର୍ ଦର୍ଶନୀୟ ଇଂନିସ ଖେଳି ଆଉଟ୍ ହୋଇଥିଲେ । ପରେ କ୍ୟାପଟେନ ବିରାଟ କୋହଲି ମଧ୍ୟ ୪୨ ରନ୍ର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳି ଇଂଲିସ ବୋଲିଂ ଆଟାକକୁ ନିରାଶ କରିଥିଲେ । ଷ୍ଟୁଆର୍ଡ ବ୍ରଡ, ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚରଙ୍କ ଭଳି ବୋଲରଙ୍କ ଅନୁପସ୍ଥିତି ଇଂଲଣ୍ଡ ଅନୁଭବ କରିଥିଲା ।ତେବେ ଭେଟେରାନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଦଳ ପକ୍ଷରୁ ପ୍ରଥମ ଦିନରେ ସଫଳ ବୋଲର ରହିଥିଲେ । ୫୨ ରନ୍ ବ୍ୟୟକରିବା ସହ ଆଣ୍ଡରସନ ୨ଟି ୱିକେଟ ହାସଲ କରିଥିଲେ ।
ପ୍ରଥମ ୱିକେଟ ଯୋଡିରେ ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ୧୨୬ ରନର ଭାଗିଦାରୀ କରିଥିଲେ । ପରେ ରୋହିତଙ୍କୁ ବୋଲ୍ଡ କରି ଆଣ୍ଡରସନ ଇଂଲଣ୍ଡକୁ ପ୍ରତିକ୍ଷୀତ ସଫଳତା ଦେଇଥିଲେ । ପରେ ପୂଜାରା ୯ ରନ୍ରେ ୱିକେଟ ହରାଇବା ପରେ କ୍ୟାପଟେନ କୋହଲିଙ୍କ ସହ ମିଶି ରାହୁଲ ତୃତୀୟ ୱିକେଟ ଯୋଡିରେ ୧୧୭ ରନ୍ ଉଠାଇଥିଲେ ।
ଆକାଶ ମେଘାଚ୍ଛନ୍ନ ରହିଥିଲା ଓ ଦ୍ରୁତ ବୋଲିଂ ପାଇଁ ପିଚ୍ ଅନୁକୂଳ ଥିଲା । ଏହା ସତ୍ତ୍ବେ ଘାତକ ଇଂଲିସ ପରିବେଶରେ ରାହୁଲ ଏକାଗ୍ରତା ଓ ଅସୀମ ଧୈର୍ଯ୍ୟର ପରିଚୟ ଦେବା ସହ ଭାରତକୁ ମଝବୁତ ସ୍ଥିତିକୁ ନେଇ ଯାଇଥିଲେ । ରାହୁଲଙ୍କ ଏହି ଲଢୁଆ ଶତକୀୟ ଇଂନିସରେ ସମସ୍ତ ପୂର୍ବତନ କ୍ରିକେଟରଙ୍କ ସମେତ, କ୍ରିକେଟ ସମୀକ୍ଷକ ଓ ପ୍ରଶଂସକ ମନ୍ତ୍ରମୁଗ୍ଧ ହୋଇଛନ୍ତି । ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସିନିୟର ଓପନର ରୋହିତ ଶର୍ମା କହିଛନ୍ତି , ସେ ଦେଖିଥିବା ରାହୁଲଙ୍କ ସମସ୍ତ ଇଂନିସ ମଧ୍ୟରୁ ଏହା ଶ୍ରେଷ୍ଠ ଇଂନିସ ।
ରୋହିତ ଓ ରାହୁଲ ଆରମ୍ଭରୁ ଧ୍ୟାନର ସହିତ ଖେଳିଥିଲେ ଓ ଖରାପ ବଲ୍କୁ ପ୍ରହାର କରିଥିଲେ । ରୋହିତ ଅପେକ୍ଷାକୃତ ଅଧିକ ଆକ୍ରମଣାତ୍ମକ ଖେଳୁଥିଲେ ଓ ରାହୁଲ ରକ୍ଷଣାତ୍ମକ ରଣନୀତି ଆପଣାଇ ଭରପୁର ସାଥ୍ ଦେଉଥିଲେ । ରୋହିତ ୮୩ ରନ୍ରେ ଆଉଟ ହେବା ସମୟରେ ରାହୁଲ ମାତ୍ର ୩୩ରନରେ(୧୧୮ ବଲ୍) ଖେଳୁଥିଲେ । ତେବେ ଦୁଇଟି ଶୀଘ୍ର ୱିକେଟ ପରେ ରାହୁଲ ଅଧିକ ଯତ୍ନର ସହିତ ଖେଳିବା ସହ ଇଂନିସ ସମ୍ଭାଳିଥିଲେ ଓ କ୍ୟାପଟେନ କୋହଲିଙ୍କ ସହ ମିଶି ଭାରତର ସ୍କୋର ୨୦୦ ପାର୍ କରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ