ନୂଆଦିଲ୍ଲୀ: ପ୍ରତିଷ୍ଠିତ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚୟନ ହୋଇଥିବା ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ତଥା କୋଚ ପ୍ରଦୀପ ଗାନ୍ଧେ କହିଛନ୍ତି ଏହି ପୁରସ୍କାର ପାଇଁ କେବେ ବି ଇଚ୍ଛା ରଖି କୌଣସି କାମ କରି ନାହିଁ । କୃତଜ୍ଞ ଜ୍ଞାପନ କରୁଛି ମୋର ଯୋଗଦାନକୁ ସମ୍ମାନ ମିଳିଛି ।
ଗାନ୍ଧେ 1982 ଏସିଆଡ ଖେଳରେ କାଂସ୍ୟ ପଦକ ଜିତିଥିଲେ । ସେ ଲେରାୟ ଡିସୁଜାଙ୍କ ସହ ଯୁଗଳ ବିଭାଗରେ କାଂସ୍ୟ ପଦକ ହାସଲ କରିଥିଲେ ।
ମହାରାଷ୍ଟ୍ର ବ୍ୟାଡମିଣ୍ଟନ ସଂଘ ତଥା ଭାରତୀୟ ବ୍ୟାଡମିଣ୍ଟନ ସଂଘର ପଦାଧିକାରି ରହିଥିବା ଗାନ୍ଧେ କହିଛନ୍ତି, ମୁଁ ସମ୍ମାନିତ ଅନୁଭବ କରୁଛି । ଏହି ପୁରସ୍କାର ଜଣେ ଖେଳାଳି, ଜଣେ କୋଚ ଓ ଜଣେ ପ୍ରଶାସକ ଭାବେ ଖେଳରେ ଯୋଗଦାନକୁ ମାନ୍ୟତା ପ୍ରଦାନ କରୁଛି ।
ଆହୁରି ମଧ୍ୟ ସେ କହିଛନ୍ତି, ମୁଁ କେବେ ବି ପୁରସ୍କାର ଇଚ୍ଛା ରଖି କୌଣସି କାମ କରି ନାହିଁ । କିନ୍ତୁ ସରକାରଙ୍କୁ ଧନ୍ୟବାଦ ମୋ କାମକୁ ମାନ୍ୟତା ମିଳିଛି । ମୋର ସମ୍ପୂର୍ଣ୍ଣ କ୍ୟାରିଅରରେ ମତେ ମୋ ପରିବାର ସହଯୋଗ ମିଳିଛି । ବିଶେଷକରି ମୋର ପତ୍ନୀଙ୍କ ସହଯୋଗ ମିଳିଛି । କାରଣ ମୋର ବାହାଘର ପରେ ହିଁ ମୋ ମୁଖ୍ୟ କ୍ୟାରିଅର ଆରମ୍ଭ ହୋଇଥିଲା ।