ବାସେଲ: ଏଠାରେ ବର୍ଷ 2019 ରେ ବିଶ୍ବ ଚମ୍ପିଆନସିପ ତାଜ୍ ହାସଲ କରିଥିବା ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ସ୍ବିସ ଓପନର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଆମେରିକାର ଆଇରସ ୱାଙ୍ଗଙ୍କୁ ସହଜରେ ହରାଇ ଶେଷ 8 ମଧ୍ୟରେ ସ୍ଥାନ ହାସଲ କରିଛନ୍ତି ।
ଅଲମ୍ପିକ ପଦକ ବିଜେତା ସିନ୍ଧୁ, 35 ମିନିଟ ଧରି ଖେଳାଯାଇଥିବା ଏହି ମୁକାବିଲାରେ ୱାଙ୍ଗଙ୍କୁ 21-13, 21-14 ସେଟ୍ରେ ପରାସ୍ତ କରିଛନ୍ତି । ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ସିନ୍ଧୁଙ୍କର ଏହା ମାନ୍ୟତାର 40 ନମ୍ବରରେ ଥିବା ୱାଙ୍ଗଙ୍କ ବିପକ୍ଷରେ ପ୍ରଥମ ମୁକାବିଲା ଥିଲା ।
କ୍ବାର୍ଟର ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ଥାଇଲାଣ୍ଡର ବୁସାନନ ଗଫାନଙ୍କ ସହ ହେବ । ଯାହାଙ୍କ ବିପକ୍ଷରେ ସିନ୍ଧୁଙ୍କ 11-1ର ଦମଦାର ରେକର୍ଡ ରହିଛି ।
ଏହାପୂର୍ବରୁ ସିନ୍ଧୁ ନିଜର ପ୍ରଥମ ମୁକାବିଲାରେ ତୁର୍କୀର ନେସଲିହାନ ୟିଗିତଙ୍କୁ 21-16, 21-19ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ