ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ପାୱାର ଷ୍ଟାର କୁହାଯାଉଥିବା ପୁନିତଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି କନ୍ନଡ ସିନେମା ଜଗତ । ପୁନିତଙ୍କ ମୃତ୍ୟୁ ତାଙ୍କ ଅଗଣିତ ଫ୍ୟାନଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଛି । ଆଉ ଏହାକୁ ସହ୍ୟ କରିନପାରି ପୁନିତ୍ ପଛେ ପଛେ ଚାଲି ଯାଉଛନ୍ତି ତାଙ୍କର ଫ୍ୟାନ । କର୍ଣ୍ଣାଟକ ବେଲଗଭି ଜିଲ୍ଲା ଅଥାନୀ ସହରରେ ରହୁଥିବା ଜଣେ ଯୁବକ ନିଜ ପ୍ରିୟ ହିରୋ ପୁନିତଙ୍କ ମୃତ୍ୟୁକୁ ସହ୍ୟ ନ କରିପାରି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ମୃତକ ଜଣକ ହେଉଛନ୍ତି ୨୨ ବର୍ଷୀୟ ଗାଦିଭଦ୍ଦାରା (Gaadivaddara) । ସେ ପୁନିତ ରାଜକୁମାରଙ୍କ ଜଣେ ବହୁତ ବଡ ପ୍ରଶଂସକ ଥିଲେ । ସେ ତାଙ୍କର ସବୁ ମୁଭିର ଫାଷ୍ଟ ଡେ ଫାଷ୍ଟ ସୋ ଦେଖୁଥିଲେ । ଏପରିକି ଯୁବକ ଜଣକ ତାଙ୍କ ଫଟୋକୁ ଘରେ ରଖି ପୂଜା କରୁଥିବା ଜଣାପଡିଛି । ହେଲେ ଗତକାଲି(ଶୁକ୍ରବାର) ପୁନିତଙ୍କ ହୃଦଘାତରେ ମୃତ୍ୟୁ ପରେ ଯୁବକ ମଧ୍ୟ ଅଭିନେତାଙ୍କ ଫଟୋ ଆଗରେ ଆତ୍ମହତ୍ୟା କରିଦେଇଛନ୍ତି ।
ସେହିପରି ୟାଲାନ୍ଦୁରୁ ତାଲୁକ ଅଞ୍ଚଳର ଗଣେଶ ନାମକ ଆଉ ଏକ ପ୍ରଶଂସକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁନିତ ଓରଫ ଅପୁଙ୍କ ମୃତ୍ୟୁ ଖବର ପାଇବା ପରେ ଗଣେଷ ଖୁବ୍ ମର୍ମାହତ ହୋଇପଡିଥିଲେ । ଏହାପରେ ସେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି କର୍ଣ୍ଣାଟକର ହାନୁର ତାଲୁକ ଅଞ୍ଚଳରୁ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଚାଷୀ ଚାଷ କାର୍ଯ୍ୟ ସାରି ଘରେ ପହଞ୍ଚିବା ମାତ୍ରେ ପୁନିତଙ୍କ ମୃତ୍ୟୁ ଖବର ଶୁଣିବାକୁ ପାଇଥିଲେ ଏବଂ ତତକ୍ଷଣାତ୍ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ