ଶେଷରେ କ୍ଷମା ମାଗିଲେ ହ୍ୟୁମାନ ସାଗର - ଫେମସ ଗାୟକ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା
କିଛି ଦିନ ହେବ ନିଜ ଗାଇଥିବା ଗୀତ ‘ଝିଅ ନୁହେଁ ତୁ କୋରୋନା ଭାଇରସ’କୁ ନେଇ ବିବାଦ ଘେରରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଯାହା ଉପରେ ଏବେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ସେ।
ହାଇଦ୍ରାବାଦ: ଓଲିଉଡର ଫେମସ ଗାୟକ ହ୍ୟୁମାନ ସାଗର ସୋସିଆଲ ମିଡିଆରେ ହଟହଟା ହୋଇଛନ୍ତି। ସବୁବେଳେ ନିଜ ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ହ୍ୟୁମାନ ବର୍ତ୍ତମାନ କୋରୋନା ଭାଇରସ ଉପରେ ଗୀତ ଗାଇ ସମସ୍ୟାରେ। ଯେଉଁଠାରେ ପୁରା ବିଶ୍ବ କୋରୋନା ଭାଇରସ ସହ ଲଢୁଛି, ସେହିଠାରେ ଝିଅଙ୍କୁ କୋରୋନା ଭାଇରସ ସହ ତୁଳନା କରି ସମାଲୋଚନା ଶିକାର ହୋଇଛନ୍ତି ହ୍ୟୁମାନ। ଇତିମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
ସେ ଫେସବୁକରେ ନିଜର ଏକ ଭିଡିଓ ସେୟାର କରି ଓଡି଼ଶାବାସୀଙ୍କୁ ସମ୍ମାନ ଦେବା ସହ କହିଛନ୍ତି ଯେ କେବେ ମଧ୍ୟ ସେ ନାରୀଙ୍କ ଅପମାନ କରିପାରିବେ ନାହିଁ। କାରଣ ତାଙ୍କ ଘରେ ମଧ୍ୟ ମା' ସ୍ତ୍ରୀ, ଶାଶୁ ଅଛନ୍ତି । ଆଉ ଏହା ତାଙ୍କ ଫ୍ୟାନ୍ସଙ୍କୁ ଭଲ ରୂପେ ଜଣା ଅଛି। ସେ ଯେତେବେଳେ ଏହି ଗୀତ ଗାଇଥିଲେ ସେହି ସମୟରେ କୋରୋନା ଭାଇରସର ପ୍ରଭାବ ଏତେମାତ୍ରାରେ ଦେଖିବାକୁ ମିଳିନଥିଲା ।
ଆଉ ଯେତେବେଳେ ଜାଣିଲେ ତାଙ୍କ ଗୀତକୁ ନେଇ ଏତେ ବିବାଦ ସୃଷ୍ଟି ହେଉଛି ସେ ସଙ୍ଗେ ସଙ୍ଗେ ମେକର୍ସଙ୍କୁ କହିଥିଲେ ୟୁଟ୍ୟୁବରୁ ଏହି ଗୀତକୁ ଡିଲିଟ କରିବାକୁ । ସେହି ପର୍ଯ୍ୟନ୍ତ ‘ଝିଅ ନୁହେଁ ତୁ କୋରୋନା ଭାଇରସ ଗୀତ’କୁ 3 ମିଲିୟନ ଭ୍ୟୁଜ ମିଳିସାରିଥିଲା ତଥାପି ନିର୍ମାତା ତାଙ୍କ କଥା ଶୁଣି ଡିଲିଟ କରିଥିଲେ ବୋଲି କହିଛନ୍ତି ହ୍ୟୁମାନ। ଏହାସହ ସେ କୋରୋନା ଭାଇରସରୁ ସୁରକ୍ଷିତ ରହିବାକୁ ପାଇଁ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି ।
ପ୍ରକାଶ ଥାଉକି ଏହି ଗୀତ ପାଇଁ ବୁଧବାର ସ୍ବାଭିମାନ ମଞ୍ଚ ପକ୍ଷରୁ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା । ସେ ନାରୀଙ୍କୁ ଅପମାନ କରିଥିବାରୁ ତାଙ୍କ ଦଣ୍ଡ ଦେବାର ଦାବି ମଧ୍ୟ ହୋଇଥିଲା ।