ହାଇଦ୍ରାବାଦ: ଇରଫାନ୍ ଖାନଙ୍କୁ ମନେ ପକାଇଛନ୍ତି ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ। ନବାଜୁଦ୍ଦିନଙ୍କ ବଲିଉଡ କ୍ୟାରିୟର ଗଢିବାରେ ଇରାଫାନଙ୍କ ବହୁତ ବଡ ହାତ ରହିଥିବା ସେ କହିଛନ୍ତି । ‘ସ୍ଲମଡଗ୍ ମିଲେନିଏର’ପାଇଁ ନିର୍ଦ୍ଦେଶକ ଡ୍ୟାନି ବୋଏଲଙ୍କ ସହ ତାଙ୍କୁ ଇରଫାନ୍ ଦେଖା କରାଇଥିବାର କହିଛନ୍ତି ନୱାଜୁଦ୍ଦିନ ସିଦ୍ଦିକୀ ।
ସେ କହିଛନ୍ତି,‘ ଏହା ସମସ୍ତେ ଜାଣି ନାହାଁନ୍ତି ମାତ୍ର 2000 ମସିହାରେ ହିରୋ ଭାବରେ ମୋର ପ୍ରଥମ ଫିଲ୍ମ ଅଲଭିଦା ଥିଲା ଓ ଏହାର ନିର୍ଦ୍ଦେଶକ ଥିଲେ ଇରଫାନ୍ । ବିବିସି ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଇଥିଲା । ଏହାପରେ ସେ ଅଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇ ନାହାଁନ୍ତି । ସେ ଜଣେ ସଫଳ ଅଭିନେତା ସହ ନିର୍ମାତା ମଧ୍ୟ’ ।
ଇରଫାନ୍ ଓ ନବାଜୁଦ୍ଦିନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଥିବା ମିଥ୍ୟାକୁ ଖଣ୍ଡନ କରି ସେ କହିଥିଲେ, ‘ ମୁଁ କେମିତି ତାଙ୍କ ସ୍ଥାନ ନେଇପାରିବି । ତାଙ୍କ ପରି କେହି ନାହାଁନ୍ତି ’। 2009ରେ କବୀର ଖାନଙ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ନ୍ୟୁୟର୍କ’ରେ ଦୁଇ ଷ୍ଟାର ଏକାଠି ନଜର ଆସିଥିଲେ । ଏହି ସମୟରେ ଇରଫାନ୍, ନୱାଜୁଦ୍ଦିନଙ୍କ ଅଭିନୟ ଦେଖି କାନ୍ଦି ପକାଇଥିଲେ ବୋଲି ସେ କହିଛନ୍ତି ।