ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ବଡ ପ୍ରସଙ୍ଗ ସାଜିଛି । ପୁରା ଦେଶବାସୀ ଚାହୁଁଛନ୍ତି ସୁଶାନ୍ତଙ୍କୁ ନ୍ୟାୟ ମିଳୁ । ତାଙ୍କ ମୃତ୍ୟୁପରେ ବଲିଉଡ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହେଲେ ଏବେ ତାଙ୍କ ମାମଲା ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଆସି ଅଟକି ଯାଇଛି । ଅନେକ ଚର୍ଚ୍ଚା ମଧ୍ୟରେ ସୁଶାନ୍ତଙ୍କ କ୍ରିଏଟିଭ ମ୍ୟାନେଜର ସିଦ୍ଧାର୍ଥ ପିଠାନୀ ବଡ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ସେ ମୁମ୍ବାଇ ପୋଲିସକୁ ଏକ ଇମେଲ କରି ଆଶ୍ଚର୍ଯ୍ୟକର ସୂଚନା ଦେଇଛନ୍ତି । ସେ ଇମେଲରେ ଲେଖିଛନ୍ତି, ‘ଗତ 22ରେ ମୋ ପାଖକୁ ସୁଶାନ୍ତଙ୍କ ପରିବାରରୁ ଓପି ସିଂ, ମିତୁ ସିଂ ଏକ ଅଜଣା ନମ୍ବରରୁ କନଫରେନ୍ସ କଲ କରିଥିଲେ । ଆଉ ମତେ ରିୟା ଓ ସୁଶାନ୍ତ ଯେତେବେଳେ ମାଉଣ୍ଟ ବ୍ଲାଙ୍କରେ ରହୁଥିଲେ ସେହି ସମୟର ଖର୍ଚ୍ଚ ବିଷୟରେ ପଚାରିଥିଲେ । ପୁଣି 27 ତାରିଖରେ ମତେ ଅଜଣା ନମ୍ବରରୁ ଓପି ସିଂ କଲ କରିଥିଲେ । ଆଉ କହିଥିଲେ ରିଆଙ୍କ ବିରୋଧରେ ବିହାର ପୋଲିସକୁ ବୟାନ ଦେବା ପାଇଁ । ଏହାପରେ ମୋ ପାଖକୁ ଆଉ ଏକ ନମ୍ବରରୁ କଲ ଆସିଥିଲା । ହେଲେ 40 ସେକେଣ୍ଡ ପରେ ସେହି କଲ୍ କଟିଯାଇଥିଲା। ଯାହାଦ୍ବାରା ମୁଁ କୌଣସି ବୟାନ ଦେଇନଥିଲି । କିନ୍ତୁ ମୋ ଉପରେ ଚାପ ପକାଯାଉଛି ରିୟାଙ୍କ ବିରୋଧରେ ବୟାନ ଦେବାକୁ।’
ଖାଲି ଏତିକି ନୁହେଁ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ବର୍ତ୍ତମାନ ସେ ଏହି ମାମଲାରେ କାହାରି ସହ କଥା ହେବାକୁ ଚାହୁଁନାହାଁନ୍ତି । ହେଲେ ସିଦ୍ଧାର୍ଥଙ୍କ ଏପରି ଇମେଲ ପୁଣି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମସ୍ତଙ୍କୁ ଲାଗୁଛି ପୂର୍ବରୁ ଏକଥା ନକହି ରିଆଙ୍କୁ ଏବେ କଣ ପାଇଁ ସମର୍ଥନ କରୁଛନ୍ତି ସିଦ୍ଧାର୍ଥ।