ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏଯାବତ ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି । ହେଲେ ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ତଥ୍ୟ ଧିରେ ଧିରେ କରି ସାମ୍ନାକୁ ଆସୁଛି । ଏବେ ତାଙ୍କୁ ନେଇ ମୁହଁ ଖୋଲିଛନ୍ତି ତାଙ୍କ ମୃତଦେହ ନେବାକୁ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ବିଶାଲ। ସେ ବୁଧବାର ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଧମକ ମିଳୁଛି । ତାଙ୍କୁ ଅନେକ ଫୋନ କଲ ଆସୁଛି । ଯେଉଁଥିରେ ତାଙ୍କୁ ସୁଶାନ୍ତଙ୍କ ହତ୍ୟାକାରୀ କୁହାଯାଉଛି । ଆଉ ଏହାସହ ଧମକ, ଗାଳିଗୁଲଜ ମଧ୍ୟ ଦିଆଯାଉଛି । ଏହି ସବୁ କଲ ତାଙ୍କୁ ସୁଶାନ୍ତଙ୍କ ଫ୍ୟାନ୍ସ କରୁଛନ୍ତି ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ, ‘ମୋ ଭାଇ ଓ ମା' ସହରରେ ଆମ୍ବୁଲାନ୍ସ ସର୍ଭିସ ଯୋଗାଆନ୍ତି । ହେଲେ କେବେ ମଧ୍ୟ ଏମିତି ହୋଇନଥିଲା । ହେଲେ ଯେବେଠୁ ଆମେ ସୁଶାନ୍ତଙ୍କ ମୃତଦେହ ଆମ ଆମ୍ବୁଲାନ୍ସରେ ଆଣିଥିଲୁ, ସେହି ସମୟ ପରଠୁ ମତେ ମୋ ପରିବାରକୁ ଧମକ ମିଳୁଛି। କଲ କରୁଥିବା ଲୋକ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଆଉ କହୁଛନ୍ତି ସୁଶାନ୍ତ ଆମ୍ବୁଲାନ୍ସରେ ଯାଉଥିବା ସମୟରେ ବଞ୍ଚିଥିଲେ । ଆଉ ମୁଁ ତାଙ୍କ ଗଳା ଚାପି ହତ୍ୟା କରିଛି।’