ହାଇଦ୍ରାବାଦ: ସୁସ୍ଥ ଅଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ଜାନୁଆରୀ 8ରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରୋନା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏଭଳି ପରିସ୍ଥିତିରେ ଲତା ମଙ୍ଗେଶକରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମିଥ୍ୟା ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଲତା ମଙ୍ଗେଶକରଙ୍କ ଅବସ୍ଥାରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି ଆସିଛି ।
ଏହି କାରଣରୁ ଏଭଳି ଭାଇରାଲ ଖବରକୁ ବନ୍ଦ କରିବା ପାଇଁ ଏକ ବୟାନ ଜାରି କରିଛନ୍ତି ଲତାଙ୍କ ପରିଚାଳନା ଟିମ୍ । ଟିମ୍ କହିଛି ଯେ ଲତାଙ୍କ ସ୍ବାସ୍ଥ୍ୟ ବିଷୟରେ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଛି । ଏପରି ଖବରକୁ ପ୍ରଶଂସକ ମାନେ ବିଶ୍ବାସ କରନ୍ତୁ ନାହିଁ । ତେବେ ସୋସିଆଲ ମିଡିଆରେ ଗାୟିକାଙ୍କ ମୃତ୍ୟୁ ଖବର ପ୍ରସାରିତ ହେଉଛି । ଏକ ସ୍କ୍ରିନ ସଟ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ କୁହାଯାଇଛି- 'ଲତା ମଙ୍ଗେଶକର ଜୀ ଆଇସିୟୁରେ ଅଛନ୍ତି, ମିଥ୍ୟା ଖବରକୁ ବିଶ୍ବାସ କରନ୍ତୁ ନାହିଁ, ଏହିପରି ଖବରକୁ ଅଣଦେଖା କରନ୍ତୁ । ବୃଦ୍ଧାବସ୍ଥା ଯୋଗୁଁ ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗୁଛି ।
କୋଭିଡ ଏବଂ ନିମୋନିଆ ହେବା ପରେ ଲତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗାୟିକାଙ୍କ ପରିବାର ପକ୍ଷରୁ ଲତାଙ୍କ ସ୍ବାସ୍ଥ୍ୟ ବିଷୟରେ ଅପଡେଟ ଦିଆଯାଉଛି । 'ବର୍ତ୍ତମାନ ଲତା ଜୀଙ୍କ ଅବସ୍ଥା ଭଲ ଅଛି । ଯେତେବେଳେ ଡାକ୍ତରମାନେ କହିବେ, ସେତେବେଳେ ତାଙ୍କୁ ଘରକୁ ଅଣାଯିବ’ ବୋଲି ପରିବାର କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ