ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇଛନ୍ତି ବଲିଉଡ୍ ସୁନ୍ଦରୀ । ଜଣକ ପରେ ଜଣେ ଟାଣି ହୋଇ ଚାଲିଛନ୍ତି ଏହି ଧୂଆଁ ଭିତରକୁ। ତେବେ ଶନିବାର ରିୟା, ଦୀପିକା ଓ ଶ୍ରଦ୍ଧାଙ୍କୁ ଜେରା କରିବାକୁ ଏନସିବି ସମନ କରିଥିଲା । ଏହି ପଚରାଉଚରା ପାଇଁ ଦୀପିକାଙ୍କୁ ଏନସିବି ଗେଷ୍ଟ ହାଉସକୁ ଡକାଯାଇଥିବାବେଳେ ସାରା ଓ ଶ୍ରଦ୍ଧା ଏନସିବି ଅଫିସରେ ପହଞ୍ଚିଥିଲେ ।
ସୂଚନାନୁସାରେ, ଶ୍ରଦ୍ଧା କପୁର ଏନସିବି ଆଗରେ ପୂର୍ବରୁ ଡ୍ରଗ୍ସ ଖାଇବା କଥାକୁ ମନା କରି ଦେଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ପଚରାଉଚରାବେଳେ ଶ୍ରଦ୍ଧାକୁ ଏନସିବି ଅଧିକାରୀ କହିଛନ୍ତି ଯେ ସେମାନଙ୍କର ଚଳଚ୍ଚିତ୍ର 'ଛିଛୋରେର' ରିଲିଜ ହେବା ପରେ ପାଭାନା ଫାର୍ମ ହାଉସରେ ଏକ ପାର୍ଟି ଅନୁଷ୍ଠିତ ହୋଇଥିଲା।
ଶ୍ରଦ୍ଧା କହିଛନ୍ତି, 'ଆମେ ଅପରାହ୍ନ ପ୍ରାୟ 3 ଟାରେ ପହଞ୍ଚିଥିଲୁ। ମଧ୍ୟାହ୍ନ ଭୋଜନ ପରେ, ଆମେ ଏକ ଡଙ୍ଗା ମାଧ୍ୟମରେ ସେ ଦ୍ୱୀପରେ ପହଞ୍ଚିଲୁ ଯେଉଁଠାରେ ସଙ୍ଗୀତ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଅନୁଷ୍ଠିତ ହୋଇଥିଲା । କିନ୍ତୁ ମୁଁ ସେହି ପାର୍ଟିରେ କୌଣସି ଡ୍ରଗ୍ସ ନେଇ ନଥିଲି ।
ଶ୍ରଦ୍ଧା ଆହୁରି ମଧ୍ୟ କହିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଭ୍ୟାନିଟି ଭ୍ୟାନରେ ଏବଂ ବେଳେବେଳେ ଫିଲ୍ମର ସୁଟିଂ ସମୟରେ ସେଟରେ ଡ୍ରଗ୍ସ ନେଉଥିବାର ଦେଖିଛନ୍ତି । ଏନସିବି ଶ୍ରଦ୍ଧାଙ୍କୁ ତାଙ୍କ ଜୟା ସାହା ସହିତ ଡ୍ରଗ୍ ଚାଟ୍ ମଧ୍ୟ ଦେଖାଇଛି, ଯାହାକୁ ନେଇ ସେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାଁନ୍ତି । ତାଙ୍କୁ ପଚରାଉଚରା ଜାରି ରହିଛି ।
ଜାଣିବାକୁ ମିଳିଛି ଯେ ମୁମ୍ବାଇର ଏନସିବି ଜୋନାଲ ଅଫିସରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପଚରାଉଚରା ବେଳେ ତିନିଜଣ ମହିଳା ଅଧିକାରୀଙ୍କ ସମେତ ଜଣେ ଅଧିକାରୀ ଉପସ୍ଥିତ ଅଛନ୍ତି । ଯାଞ୍ଚ ଆରମ୍ଭ ହେବା ପୂର୍ବରୁ ଅଭିନେତ୍ରୀଙ୍କୁ ତାଙ୍କ ମୋବାଇଲ୍ ଫୋନକୁ କ୍ୟାବିନ ବାହାରେ ରଖିବାକୁ କୁହାଯାଇଥିଲା । ଏହା ପରେ ଜୋନାଲ କାର୍ଯ୍ୟାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଉଥିବା ଜଣାପଡିଛି ।