ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସାହୋ’ ନିକଟରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ବର୍ତ୍ତମାନ ହ୍ୟାଣ୍ଡସମ ହ୍ରିତିକ ରୋଶନ ନିଜର ଅପକମିଂ ଫିଲ୍ମ ‘ୱାର’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଏବେ ଆପଣ ଭାବୁଥିବେ ଯେ ପ୍ରଭାସଙ୍କ ସହ ଏଠାରେ ହ୍ରିତିକ କଥା କାହିଁକି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହାର କାରଣ...
ଶୁଣିବାକୁ ମିଳୁଛି ଯେ ଏହି ଦୁଇ ସୁପରଷ୍ଟାର ଏକାଠି ନଜର ଆସିବାକୁ ଯାଉଛନ୍ତି । ‘ଛିଛୋରେ’ ନିର୍ଦ୍ଦେଶକ ନିତେଶ ତିୱାରୀ ନିକଟରେ ରାମାୟଣ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ଆଉ ଏଥିନିମନ୍ତେ ସେ ପ୍ରଭାସଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ସେ ରାମାୟଣରେ ପ୍ରଭାସଙ୍କୁ ରାବଣ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି । ଯାହା ବିଷୟରେ ଜଲଦି ଘୋଷଣା କରାଯିବ ।
ସେହିପରି ରାମାୟଣରେ ହ୍ରିତିକ ଭଗବାନ ରାମ ଓ ଦୀପିକା ପାଦୁକୋନ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ ବୋଲି ଖବର ଜୋରଧରିଛି । ଏହି ଫିଲ୍ମଟି ପାଖାପାଖି 600 କୋଟି ଟଙ୍କାରେ ନିର୍ମାଣ ହେବ । ଯାହା ଭାରତୀୟ ସିନେମାରେ ଏଯାବତର ସବୁଠାରୁ ମହଙ୍ଗା ଫିଲ୍ମ ହେବ । ଏହାକୁ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁରେ ମଧ୍ୟ ରିଲିଜ କରାଯିବ । ଏବେ ଦେଖିବାକ ବାକି ରହିଲା କି ‘ରାମାୟଣ’ରେ କେଉଁ କେଉଁ ଷ୍ଟାର୍ସ ନଜର ଆସିବେ । କିନ୍ତୁ ଦର୍ଶକ ଏବେଠାରୁ ଫିଲ୍ମ ବିଷୟରେ ଶୁଣି ଏକ୍ସାଇଟେଡ ହୋଇଗଲେଣି ।