ମୁମ୍ବାଇ: ଆସନ୍ତା 10 ତାରିଖରେ ଦୀପିକା ପାଦୁକୋନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ରିଲିଜ ହେବାକୁ ଯାଉଛି । ଯାହାର ପ୍ରମୋସନରେ ବର୍ତ୍ତମାନ ଖୁବ ବ୍ୟସ୍ତ ଷ୍ଟାରକାଷ୍ଟ । କିଛି ଦିନ ହେବ ଶୁଣିବାକୁ ମିଳୁଥିଲା ଯେ ଦୀପିକା ଫିଲ୍ମ ‘ଛପାକ’ର ପ୍ରମୋସନ ଛୋଟ ପରଦାର ଫେମସ ରିୟାଲିଟି ଶୋ ବିଗ ବସ ସିଜନ 13ରେ କରିବେ । ହେଲେ ବର୍ତ୍ତମାନ ଆଉ ଏକ ଖବରକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । କଥାଟି ହେଲା କି ଫିଲ୍ମ ପ୍ରମୋସନ କରିବାକୁ ବିଗ ବସ ମଞ୍ଚରେ ପହଞ୍ଚିଥିବା ଦୀପିକା ରାଗିକି ସେଠାରୁ ଚାଲିଯାଇଥିଲେ । ଇତିମଧ୍ୟରେ ଦୀପିକା ଏହି ମାମଲାରେ ନିଜ ପକ୍ଷ ରଖିଛନ୍ତି ।
ସଲମାନ ଖାନଙ୍କ ଫେମସ ଶୋ ବିଗ ବସରେ ବିନା ସୁଟିଂ କରି ୱାକଆଉଟ କରିବା ପ୍ରଶ୍ନ ଉପରେ ଦୀପିକା ଜବାବ ଦେଇଥିଲେ । ଏକ ସାକ୍ଷାତକାରରେ ମିଡିଆ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ବିଗ ବସରେ ତାଙ୍କ ଫିଲ୍ମର ପ୍ରମୋସନ କରିବାର କୌଣସି ପ୍ଲାନିଂ ନଥିଲା । ବିଗ ବସରେ ପ୍ରମୋସନ କରିବାର କୌଣସି କଥାବାର୍ତ୍ତା ମଧ୍ୟ ହୋଇନାହିଁ । ସେ ବିଗ ବସରେ ‘ଛପାକ’ର ପ୍ରମୋସନକୁ ପୁରା ଖଣ୍ଡନ କରିଦେଇଥିଲେ ।
ପ୍ରକାଶ ଥାଉକି ଏହି ଖବର ସେହି ସମୟରେ ଜୋର ଧରିଥିଲା ଯେବେ ବିଗ ବସ ଫ୍ୟାନ କ୍ଲବ ଟ୍ବିଟର ପେଜରେ ୱିକେଣ୍ଡ କା ୱାର ସୁଟ କରିବାକୁ ମନା କରିଦେଇଥିଲେ ଦୀପିକା। ସୁଟିଂ ବିଳମ୍ବରେ ଆରମ୍ଭ ହେବାକୁ ନେଇ ଦୀପିକା ବିନା ସୁଟ କରି ସେଟରୁ ଚାଲିଯାଇଥିଲେ । ତାଙ୍କୁ କୌଣସି ପ୍ରିମିୟରରେ ଯୋଗ ଦେବାର ଥିଲା । ଯାହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ସେ । ଆଉ ତାଙ୍କ ବୟାନରୁ ସ୍ପଷ୍ଟ ହୋଇଯାଇଛି ଯେ ଦର୍ଶକଙ୍କ ଆଶା କେବଳ ଆଶାରେ ହିଁ ରହିଯିବେ । ସଲମାନ ଓ ଦୀପିକାଙ୍କୁ ବିଗ ବସ ମଞ୍ଚରେ ଦେଖିପାରିବେ ନାହିଁ ପ୍ରଶଂସକ।