ହାଇଦ୍ରାବାଦ: ଫନିର ତାଣ୍ଡବରେ ଥରହର ଓଡିଶା । 99 ମହାବାତ୍ୟା ପରେ ଉପକୂଳ ଓଡିଶାରେ ପ୍ରଥମ ଥର କୌଣସି ସାମୁଦ୍ରିକ ଝଡର ଏତେ ମାତ୍ରାରେ ପ୍ରଭାବ ଦେଖିବାକୁ ମିଳିଛି । ଓଡିଶାକୁ ଏକପ୍ରକାର ଛିନଭିନ କରିଦେଇଛି ବାତ୍ୟା ଫନି । ତେବେ ଏନେଇ ପୁରା ଦେଶରୁ ଓଡିଶା ପାଇଁ ସହାନୁଭୂତିର ସୁଅ ଛୁଟିଛି । ଏଥିରେ ପଛରେ ରହିନାହାଁନ୍ତି ବଲିଉଡ କଳାକାର । ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଓଡିଶାବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।
ଅଭିଷେକ ବଚ୍ଚନ ଟ୍ବିଟ କରି ଲେଖିଛନ୍ତି, ବାତ୍ୟା ଫନି ଠାରୁ ସମସ୍ତଙ୍କୁ ସୁରକ୍ଷା ମିଳୁ । ଅଭିନେତା ରିତେଶ ଦେଶମୁଖ ନିଜ ପାଖରେ ସମସ୍ତ ହେଲ୍ପଲାଇନ ନମ୍ବର ରଖିବାକୁ କହିଛନ୍ତି । ଅଭିନେତ୍ରୀ ତମନ୍ନା ଭାଟିଆ ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ଅନ୍ୟପକ୍ଷେ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଓଡିଶାବାସୀଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି ।
କେବଳ ଅଭିନେତା ନୁହଁନ୍ତି, କ୍ରିକେଟର ବିରାଟ କୋହଲି ମଧ୍ୟ ଓଡିଶା ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ଫନି ଓଡିଶାରେ ଗତକାଲି ନିଜର କରାଳ ରୂପ ଦେଖାଇଥିଲା ।