ମୁମ୍ବାଇ: ଭାରତୀୟ ପ୍ଲେ ବ୍ୟାକ ଗାୟକ, ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା, ସଂଗୀତଜ୍ଞ, ସ୍କ୍ରିନ୍ ରାଇଟର୍ କିଶୋର କୁମାରଙ୍କ ଆଜି 33ତମ ଶ୍ରାଦ୍ଧବାର୍ଷିକୀ । କିଶୋର କୁମାରଙ୍କ ପ୍ରକୃତ ନାମ ଥିଲା ଆଭାସ କୁମାର । ସେ ଆମ ମଧ୍ୟରେ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି ସର୍ବଦା ଆମମାନଙ୍କ ସହିତ ଜୀବନ୍ତ ଅଛି । ହିନ୍ଦୀ ସିନେମାରେ ତାଙ୍କ ଅବସ୍ମରଣୀୟ କାମକୁ ଆଜି ମଧ୍ୟ ସମସ୍ତେ ମନେ ପକାଉଛନ୍ତି ।
କିଶୋର କୁମାର ବଙ୍ଗାଳୀ ଗାଙ୍ଗୁଲୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୁଞ୍ଜଲାଲ ଗାଙ୍ଗୁଲୀ ପେଷାରେ ଜଣେ ଓକିଲ ଥିଲେ । ତାଙ୍କ ମାଙ୍କ ନାମ ଥିଲା ଗୌରି ଦେବୀ । ଚାରି ଭାଇ ଭଉଣୀ ଅଶୋକ,ସତୀ ଦେବୀ ଓ ଅନୁପ ମାନଙ୍କ ମଧ୍ୟରେ କିଶୋର ଥିଲେ ସାନ ।
ସେହିପରି ବଲିଉଡର ପ୍ରଥମ ସୁପରଷ୍ଟାର ଅଶୋକ କୁମାର ତାଙ୍କ ବଡ ଭାଇ ଥିଲେ । ତାଙ୍କ ଜନ୍ମଦିନରେ କିଶୋର ଦାଙ୍କ ଦେହାନ୍ତ ହୋଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ସ୍ବରର ମଧୁରତା ଓ ଭାବର ନିବିଡତା ତାଙ୍କର ସବୁ ଗୀତକୁ ଜୀବିତ କରିଥାଏ । ତାଙ୍କ ଗୀତରେ ଥିଲା ଭିନ୍ନ ଯାଦୁ । ‘ରିମଝିମ୍ ଗିରେ ସାଓନ୍’ଠୁ ନେଇ ‘ରୂପ୍ ତେରା ମସ୍ତାନା’ ଆଜି ମଧ୍ୟ ଦର୍ଶକଙ୍କ ଓଠରେ । ସେହିପରି ରୋମାଣ୍ଟିକ ଗୀତ ‘ମେରେ ଦିଲ୍ କେ ଚେନ୍’, ‘ଲଗଜା ଗଲେ’, ‘ମେରେ ସପନୋକି ରାନୀ କବ୍ ଆୟେଗି ତୁ’, ‘ମେରା ଜୀବନ କୋରା କାଗଜ’, ‘ମେରେ ମେହେବୁବ୍ କୟାମତ୍ ହୋଗୀ’ ଯେବେ ମଧ୍ୟ ବାଜେ ଝୁମି ଉଠନ୍ତି ଶ୍ରୋତା ।
ସେ ହିନ୍ଦୀ ବ୍ୟତୀତ ବଙ୍ଗଳା, ମରାଠୀ, ଆସାମୀ, ଗୁଜୁରାଟୀ, କନ୍ନଡ, ଭୋଜପୁରୀ, ମଲାୟଲମ ଏବଂ ଉର୍ଦ୍ଦୁ ସମେତ ଅନେକ ଭାଷାରେ ନିଜ କଣ୍ଠର ଯାଦୁ ଦେଖାଇଥିଲେ । ଗାୟକ ଭାବରେ 8 ଥର ଫିଲ୍ମ ଫେୟ୍ୟାର ପୁରସ୍କାର ଏବଂ ସଙ୍ଗୀତ ନିର୍ଦେଶନା ପାଇଁ ବହୁବାର ଫିଲ୍ମଫେୟ୍ୟାର ପୁରସ୍କାର ଜିତିଥିଲେ ।