ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ନିଜର ଆଗାମୀ କମେଡି ଡ୍ରାମା ଫିଲ୍ମ ‘ଗୁଲାବୋ-ସିତାବୋ’କୁ ନେଇ ଚର୍ଚ୍ଚାରେ । ଏମାସ 12 ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଫିଲ୍ମ । ସେପଟେ ଦର୍ଶକ ମଧ୍ୟ ପ୍ରଥମଥର ପରଦାରେ ଅମିତାଭଙ୍କ ସହ ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ବ୍ୟାକୁଳ ମଧ୍ୟ । ଇତିମଧ୍ୟରେ ଅମିତାଭ ପୁଣି ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ସେ ପୋଷ୍ଟ ଜରିଆରେ ସୁଜିତ ସିରକାରଙ୍କ ‘ଗୁଲାବୋ-ସିତାବୋ’ର ଲକ୍ଷ୍ନୌ ସୁଟିଂରେ ପ୍ରାସ୍ଥୋଟିକ(prosthetic) ବ୍ୟବହାର କରିବାର ଅନୁଭୂତି ସେୟାର କରିଛନ୍ତି ।
ସେ ନିଜର ବ୍ଲଗରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ‘ଗୋଟିଏ ଫଟୋରେ ଆପଣ ଦେଖିପାରିବେ ଯେ ମୁଁ ପିନ୍ଧିଥିବା ପୋଷାକ ପଛ ପଟରୁ ଖୋଲା ଅଛି । ତାହା ହେଉଛି ନିର୍ଦ୍ଦେଶକ ଇନପୁଟ । ଆମେ ଲକ୍ଷ୍ନୌର ବିଷଣ ଗରମରେ ସୁଟିଂ କରିଥିଲୁ । ୟୁପିରେ ଉତ୍ତାପ 50 ଡିଗ୍ରୀ ତାପମାତ୍ରେରେ ମୋ ଦେହରୁ ପ୍ରବଳ ଝାଳ ବାହାରୁଥିବାରୁ ମତେ ବାରମ୍ବାର ପୋଷାକ ପରିବର୍ତ୍ତନ କରିବାକୁ ପଡୁଥିଲା । ଯାହା ଖୁବ୍ କଷ୍ଟଦାୟକ ଥିଲା ।’
ପ୍ରକାଶ ଥାଉକି ‘ଗୁଲାବୋ-ସିତାବୋ’ ଏକ କମେଡି ଡ୍ରାମା ଫିଲ୍ମ । ଲକ୍ଷ୍ନୌର ଜଣେ ଘର ମାଲିକ ମିର୍ଜା ଓ ତାଙ୍କ ଭଡାଟିଆ ବାଙ୍କେକୁ ନେଇ ଫିଲ୍ମର କାହାଣୀ ଆଧାରିତ ।