ମୁମ୍ବାଇ: କୋରୋନା ଭାଇରସ ବଢୁଥିବା ସଂକ୍ରମଣ ପାଇଁ ଦୀର୍ଘ ଦୁଇମାସ ପାଖାପାଖି ଫିଲ୍ମ ଓ ସିରିୟଲର ସୁଟିଂ ଉପରେ ରୋକ ଲଗାଯାଇଛି । ଯାହାର ପ୍ରଭାବ ଲୋକପ୍ରିୟ ଅଭିନେତା ରୋନିତ ରାୟଙ୍କ ଉପରେ ପଡିଥିବାର ନଜର ଆସୁଛି । ଲକଡାଉନ ପାଇଁ ତାଙ୍କ ଜୀବନରେ ଆସିଥିବା ସମସ୍ୟା ବିଷୟରେ ସେ ମନ କଥା ବଖାଣିଛନ୍ତି ।
ଏକ ସାକ୍ଷାତକାରରେ କଥାବାର୍ତ୍ତାରେ ସେ କହିଥିଲେ ଯେ ଏବର୍ଷ ଜାନୁଆରୀ ମାସରୁ କୌଣସି ଆୟ କରିନାହାଁନ୍ତି । ସେ ଏକ ବିଜନେସ ମଧ୍ୟ କରୁଥିଲେ, ଯାହା ମାର୍ଚ୍ଚ ମାସରୁ ବନ୍ଦ ପଡିଛି । ବର୍ତ୍ତମାନ ତାଙ୍କ ପାଖରେ ଯାହା ଜିନିଷ ଅଛି ତାହା ସେ ବିକ୍ରି କରି 100 ପରିବାରକୁ ସାହାଯ୍ୟ କରୁଛନ୍ତି । ଯେଉଁମାନେ ତାଙ୍କ ଉପରେ ନିର୍ଭରଶୀଳ । ଆଉ ସେ ମଧ୍ୟ ଅଧିକ ଧନୀ ଲୋକ ନୁହେଁ । ତଥାପି ତାଙ୍କ ଦ୍ବାରା ଯାହା ସମ୍ଭବ ତାହା ସେ କରିବାକୁ ହେଳା କରୁନାହାଁନ୍ତି ।
ଖାଲି ଏତିକି ନୁହେଁ ସେ ଲକଡାଉନରେ କାମ ନମିଳିବାରୁ ଆତ୍ମହତ୍ୟା କରୁଥିବା କଳାକାରଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଆଉ କହିଥିଲେ ଯେ ନିଜ ଜୀବନ ଶେଷ କରିନେବା କୌଣସି ସମସ୍ୟାର ସମାଧାନ ନୁହେଁ । ସେ ମଧ୍ୟ କ୍ୟାରିୟର ଆରମ୍ଭ ସମୟରେ ଖୁବ୍ ସଂଘର୍ଷ କରିଥିଲେ । ହେଲେ ଆତ୍ମହତ୍ୟା କଲା ଭଳି ପଦକ୍ଷେପ ନେବାକୁ କେବେ ମଧ୍ୟ ଚିନ୍ତା କରିନଥିଲେ ।