ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଟ୍ବିଷ୍ଟ ବଢିଚାଲିଛି। ତେବେ ଏହି ଦିବଙ୍ଗତ ବଲିଉଡ୍ ଷ୍ଟାରଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କକୁ ନେଇ ଚର୍ଚ୍ଚା ଖୁବ୍ ଜୋର ଧରିଛି। ଏହାକୁ ନେଇ ଖୋଳତାଡ ଚାଲିଥିବା ବେଳେ ଏକ ପ୍ରମୁଖ ସଫଳତାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) 24 ଘଣ୍ଟା ତଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ ଷଡଯନ୍ତ୍ର ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଏମାନଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ଏନସିବି ମୁମ୍ବାଇର ଏକାଧିକ ସ୍ଥାନରେ ଚଢାଉ ମଧ୍ୟ କରୁଛି । ତେବେ ଅଭିଯୋଗ ଅନୁସାରେ ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ଘରକୁ ମ୍ୟାନେଜର ସାମୁଏଲ ମିରାଣ୍ଡା ଏମାନଙ୍କ ପାଖରୁ ଡ୍ରଗ୍ସ ଆଣୁଥିରେ। ଇଡିର ଜେରା ବେଳେ ଗିରଫ ଦୁଇଜଣ ବ୍ୟକ୍ତି ପ୍ରକାଶ କରିଛନ୍ତି ।
ଏହି ସମୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ରିୟାଙ୍କ ପିତାମାତାଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଏବଂ ମାତା ସାନ୍ଧ୍ୟା ପ୍ରାୟ 11ଟା ସମୟରେ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚି ଆଠ ଘଣ୍ଟାରୁ ଅଧିକ ପଚରାଉଚରା ପରେ ସନ୍ଧ୍ୟାରେ ଚାଲିଯାଇଥିଲେ।
ଏକାଧିକ ଥର ପଚରାଉଚରା କରାଯାଉଥିବା ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ପଚରାଉଚରା ଜାରି ରଖିଛି। ଗତ ଚାରି ଦିନ ମଧ୍ୟରେ ପ୍ରାୟ 35 ଘଣ୍ଟା ଧରି ପଚରାଉଚରା କରୁଥିବା ରିୟାଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ଏଜେନ୍ସି ପାଖକୁ ଡକାଯାଇ ନାହିଁ।