ଟୋକିଓ: ବଦଳୁଥିବା ପ୍ରାକୃତିକ ସ୍ଥିତି, ପରିବେଶ ଓ ତାପମାତ୍ରା ସହ ବଢୁଥିବା ଗ୍ଲୋବାଲ ୱାର୍ମିଂର ଏସୀୟ ମୌସୁମୀ ପ୍ରାନ୍ତ ଉପରେ ପ୍ରଭାବ ଜାଣିବା ପାଇଁ ଟୋକିୟୋ ମେଟ୍ରୋପଲିଟାନ ୟୁନିଭର୍ସିଟିର ଗବେଷକମାନେ ଏକ ଅଧ୍ୟୟନ କରିଥିଲେ । ଏଥିପାଇଁ ସେମାନେ ହାଇ-ରିଜୋଲ୍ୟୁସନରେ ପାଣିପାଗ ପରିବର୍ତ୍ତନର ଚକ୍ରକୁ ଅଧ୍ୟୟନ କରିଥିଲେ । ମେଘ ପ୍ରସ୍ତୁତି ପ୍ରକ୍ରିୟା ଓ ଏଥିରେ ସମୟକ୍ରମେ ଆସିଥିବା ପରିବର୍ତ୍ତନକୁ ଗବେଷକମାନେ ନିକଟରୁ ଅନୁଧ୍ୟାନ କରିଥିଲେ । ଯେଉଁଥିରେ ସେମାନେ ଦେଖିଥିଲେ ମୌସୁମୀ ସମୟରେ ଏହି ପରିବର୍ତ୍ତନ କ୍ଷୀପ୍ର ବେଗରେ ହେଉଛି । ଏଥିପାଇଁ ଟ୍ରପିକାଲ ପରିବର୍ତ୍ତନ ମଧ୍ୟ ବହୁ ମାତ୍ରାରେ ଦାୟୀ ବୋଲି ସେମାନେ ଜାଣିବାକୁ ପାଇଥିଲେ ।
ବିଶ୍ବରେ ବହୁଳ ଜନସଂଖ୍ୟା ଧାରଣ କରିଥିବା ଏସିୟ ମହାଦେଶରେ ମୌସୁମୀ ପ୍ରାନ୍ତମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂର ମାତ୍ରା ବଢୁଥିବାରୁ ଏହା ଦ୍ବାରା ପ୍ରକୃତି କିପରି ପରିବର୍ତ୍ତନ ହେଉଛି ତାହାକୁ ବୁଝିବାକୁ ହେବ । ଗୋଟିଏ ପଟେ ଏସିୟ ମୌସୁମୀ ପ୍ରାନ୍ତ ଗୁଡିକ ସାରା ବିଶ୍ବରେ ଜଳ ଉତ୍ସ ଓ ଶକ୍ତି ଉତ୍ସ ଭାବେ ଜଣା ଯାଉଥିବା ବେଳେ ଗ୍ଲାବାଲ ୱାର୍ମିଂର ଏହା ଉପରେ ମଧ୍ୟ ଅନେକ ପ୍ରଭାବ ରହିଥାଏ । ଏହାକୁ ବୁଝିବା ପାଇଁ ଗବେଷକମାନେ ଆଞ୍ଚଳିକ ସ୍ଥିତି, ବର୍ଷାର ମାତ୍ରା, ପ୍ରାକୃତିକ ପ୍ରକ୍ରିୟାରେ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତାକୁ ଅନୁଧ୍ୟାନ କରିଛନ୍ତି । ଏହାଦ୍ବାରା ଆଗକୁ ପରିସ୍ଥିତି ମୁକାବିଲା କରିବା ସହଜ ହେବ ବୋଲି ସେମାନେ ମତ ଦେଇଛନ୍ତି ।
ଏହି ଅନୁଧ୍ୟାନରେ ମୁଖ୍ୟତଃ ବାଦଲ ବା ମେଘ ପ୍ରସ୍ତୁତି ପ୍ରକ୍ରିୟାର ଅଧ୍ୟୟନକୁ ଗୁରୁତ୍ବ ଦିଆଯାଇଛି । ଏଥିସହ ଗତ 30 ବର୍ଷ ହେବ ପ୍ରକୃତି ଉପରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ତଥ୍ୟକୁ ମଧ୍ୟ ବ୍ୟବହାର କରାଯାଇଛି । ମୁଖ୍ୟତଃ ମୌସୁମୀ ଋତୁ ଓ ମୌସୁମୀ ପ୍ରାନ୍ତ ଉପରେ ଏହାର ପ୍ରଭାବକୁ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଉତ୍ତର ଭାରତ, ଭାରତ-ଚୀନ ବିବାଦୀୟ ସ୍ଥାନ ଓ ଉତ୍ତର ପ୍ରଶାନ୍ତ ମହାସାଗରର ପଶ୍ଚିମାଞ୍ଚଳରେ ପ୍ରକୃତିରେ ପରିବର୍ତ୍ତନକୁ ମଧ୍ୟ ଅଧ୍ୟୟନ କରାଯାଇଛି ।
ଅଧ୍ୟୟନରୁ ଦେଖାଯାଇଛି କି ଗ୍ଲୋବାଲ ୱାର୍ମି ଦ୍ବାରା ବାୟୁମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଏ । ହେଲେ ସମୟ ସହ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଲକ୍ଷଣ ଏକ ଗମ୍ଭୀର ସମସ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ଏଥିସହ ଏହି ଅଧ୍ୟୟନ ଦ୍ବାରା ଗବେଷକମାନେ ମୌସୁମୀ ଋତୁରେ ବାୟୁମଣ୍ଡଳରେ ବିଭିନ୍ନ ପ୍ରକାର ଜଳୀୟ ବାଷ୍ପ ଓ ଜଳ କଣା ଦେଖିବାକୁ ପାଇଥିଲେ ।
ଗବେଷକମାନେ ସମୂଦ୍ର ପତ୍ତନରେ ତାପମାତ୍ରାରେ ପରିବର୍ତ୍ତନକୁ ମଧ୍ୟ ଅତି ନିକଟରୁ ଅଧ୍ୟୟନ କରିଛନ୍ତି । ପୂ୍ର୍ବରୁ ଏନେଇ ହୋଇଥିବା ଅନେକ ଗବେଷଣାରୁ ଜଣା ପଡିଛି କି ଏଲ ନିନୋ ପ୍ରଭାବ ଦ୍ବାରା ବିଶ୍ବରେ ସବୁଆଡେ ଏକ ନିର୍ଦ୍ଧିଷ୍ଟ ପରିମାଣରେ ତାପମାତ୍ରା ବୃଦ୍ଧି ପାଇଥାଏ । ଏହି ତଥ୍ୟ ଆଧାରରେ ବର୍ତ୍ତମାନ ଅଧ୍ୟୟନ ପରେ ଗବେଷକମାନେ ଜାଣିପାରିଥିଲେ କି ସାମଦ୍ରିକ ପତ୍ତନରେ ତାପମାତ୍ରା ବୃଦ୍ଧି ଯୋଗୁଁ ବାୟୁମଣ୍ଡଳରେ ଜଳକଣାର ପ୍ରକାରରେ ପରିବର୍ତ୍ତନ ଆସୁଛି ।
ଏହାର ପ୍ରଭାବ ଏତେ ମାରାତ୍ମକ ହୋଇପାରେ କି ଆଗକୁ ଯାଇ ଏସିଆରେ ମୌସୁମୀ ଅତି ଭୟଙ୍କର ରୂପ ଧାରଣ କରିପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି । ଉଦାହରଣ ସ୍ବରୂପ ଜାପାନରେ 2018 ଓ 2020 ମସିହାରେ ଆସିଥିବା ବନ୍ୟାରେ ପ୍ରଳୟଙ୍କରୀ ପ୍ରଭାବରେ ବୃଦ୍ଧି । ଏହାକୁ ନଜରରେ ରଖି ଆଗକୁ ପ୍ରକୃତିରୁ କିପରି ସୁରକ୍ଷା ପ୍ରଦାନ କରିବା ସହ ଗ୍ଲୋବାଲ ୱାର୍ମିଂର ମାତ୍ରା ହ୍ରାସ କରିହେବ ସେନେଇ ଗୁରୁତ୍ବ ଦେବାକୁ ହେବ ବୋଲି ଗବେଷକମାନେ ମତ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ