ଥିରୁଅନନ୍ତପୁରମ୍: 'Rocketry: The Nambi Effect' ଚଳଚ୍ଚିତ୍ରରେ ତ୍ରୁଟି ଥିବା ଦର୍ଶାଇଲେ ପୂର୍ବତନ ISRO(Indian Space Research Organization) ବୈଜ୍ଞାନିକ ଦଳ । ପୂର୍ବତନ ISRO ବୈଜ୍ଞାନିକ ନାମ୍ବି ନାରାୟଣନଙ୍କ ଜୀବନୀ ଚଳଚ୍ଚିତ୍ର(Biographical Movie)ରେ ଅନେକ ତଥ୍ୟ ଭୁଲ୍ ଥିବା ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରାଯାଉଥିବା ପ୍ରଚାର ମିଥ୍ୟା ଏବଂ ସ୍ପେସ୍ ଏଜେନ୍ସିକୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି । ଡ. ଏଇ ମୁଥୁନାୟାଗମ୍, ଡି ଶଶିକୁମାରନ୍ ଏବଂ ISRO ର ଅନ୍ୟ ବୈଜ୍ଞାନିକ ପ୍ରଫେସର ଇଭିଏସ୍ ନାମ୍ବୋଥରି ଏହି ଚଳଚ୍ଚିତ୍ରରେ ଦିଆଯାଇଥିବା ତଥ୍ୟକୁ ଖଣ୍ଡନ କରିଛନ୍ତି ।
ଅଭିନେତା ଆର ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ, ନିର୍ମିତ ଏବଂ ଲିଖିତ, ଜୀବନୀ ନାଟକ ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ମାଧବନ୍ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବତନ ବୈଜ୍ଞାନିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ନାମ୍ବି ନାରାୟଣନ୍ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ISRO ଏବଂ ଅନ୍ୟ ବୈଜ୍ଞାନିକମାନଙ୍କୁ ବଦନାମ କରୁଥିବାରୁ ଆମେ ଜନସାଧାରଣଙ୍କୁ କିଛି ନିର୍ଦ୍ଦିଷ୍ଟ ବିଷୟ କହିବାକୁ ବାଧ୍ୟ ହେଉଛୁ । ସେ ଅନେକ ପ୍ରୋଜେକ୍ଟର ଜନକ ବୋଲି ତାଙ୍କର ଦାବି ମିଥ୍ୟା ଅଟେ ।" ଚଳଚ୍ଚିତ୍ରରେ ଦାବି କରିଛନ୍ତି ଯେ, ସେ ଥରେ ପୂର୍ବ ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମଙ୍କୁ ସଂଶୋଧନ କରିଥିଲେ, ଏହା ମଧ୍ୟ ମିଥ୍ୟା ବୋଲି ପୂର୍ବତନ ବୈଜ୍ଞାନିକମାନେ କହିଛନ୍ତି ।
ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ରରେ ଦିଆଯାଇଥିବା ମିଥ୍ୟା ଦାବି ଉପରେ ନିଷ୍ପତ୍ତି ନେବାକୁ ସେମାନେ ବର୍ତ୍ତମାନର ISRO ଅଧ୍ୟକ୍ଷ ଏସ ସୋମନାଥଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି, ଚଳଚ୍ଚିତ୍ରରେ ନାରାୟଣନଙ୍କ ଦାବି ଯେ, ତାଙ୍କ ଗିରଫ ଭାରତରେ କ୍ରାୟୋଜେନିକ୍ ଟେକ୍ନୋଲୋଜି ହାସଲ କରିବାରେ ବିଳମ୍ବ କରିଥିଲା । ସେମାନେ କହିଛନ୍ତି ଯେ 1980 ଦଶକରେ ISRO କ୍ରାୟୋଜେନିକ୍ ଟେକ୍ନୋଲୋଜିର ବିକାଶ ଆରମ୍ଭ କରିଥିଲା ଏବଂ ଇଭିଏସ୍ ନାମ୍ବୋଥରି ଦାୟିତ୍ବରେ ଥିଲା । ମାତ୍ର ଏହି ପ୍ରୋଜେକ୍ଟ ସହ ନାରାୟଣନଙ୍କର କୌଣସି ସମ୍ପର୍କ ନଥିଲା ।
ପୂର୍ବତନ ବୈଜ୍ଞାନିକ ଦଳ ଏହା ମଧ୍ୟ ଦାବି କରିଛନ୍ତି ଯେ, ISRO ସମ୍ପର୍କରେ ଚଳଚ୍ଚିତ୍ରରେ ଉଲ୍ଲେଖ କରାଯାଇଥିବା 90% ବିଷୟ ମିଥ୍ୟା ଅଟେ । ସେମାନେ କହିଛନ୍ତି, "ଆମେ ଏହା ମଧ୍ୟ ଜାଣିଲୁ ଯେ ନାରାୟଣନ କିଛି ଟେଲିଭିଜନ ଚ୍ୟାନେଲରେ ଦାବି କରିଛନ୍ତି, ଚଳଚ୍ଚିତ୍ରରେ ଯାହା କୁହାଯାଇଥିଲା ତାହା ସତ୍ୟ ଅଟେ । କିଛି ବୈଜ୍ଞାନିକ ଏପରିକି ଉଦବେଗ ପ୍ରକାଶ କରିଛନ୍ତି ଯେ, ନାରାୟଣନ୍ ସେମାନଙ୍କର ଅନେକ ସଫଳତା ପାଇଁ ଶ୍ରେୟ ନେଉଛନ୍ତି ।" ପୂର୍ବତନ ବୈଜ୍ଞାନିକଙ୍କ ଅଭିଯୋଗକୁ ନେଇ ନାରାୟଣନ କିମ୍ବା ଚଳଚ୍ଚିତ୍ର ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।
2018 ରେ, ସୁପ୍ରିମକୋର୍ଟ ISRO ଗୁପ୍ତଚର ମାମଲାରେ କେରଳ ପୋଲିସର ଭୂମିକା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ 76 ବର୍ଷିୟ ନାରାୟଣନ ଅଭିଯୁକ୍ତ ଥିଲେ । ଏହି ମାମଲାରେ ଗିରଫ ହୋଇଥିବା ନାରାୟଣନଙ୍କୁ ପ୍ରାୟ ଦୁଇମାସ ଜେଲରେ ରହିବାକୁ ପଡିଥିଲା ଏବଂ ପରେ ସିବିଆଇ ଦ୍ୱାରା ଗୁପ୍ତଚର ମାମଲା ମିଥ୍ୟା ବୋଲି ଜଣାପଡିଥିଲା ।
1994 ରେ ଏହି ଗୁପ୍ତଚର ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କେତେକ ମହାକାଶ କାର୍ଯ୍ୟକ୍ରମ (space programmes)କୁ ମାଲଦ୍ୱୀପ ମହିଳାଙ୍କ ସହଯୋଗରେ ବିଦେଶୀ ଦେଶକୁ ସ୍ଥାନାନ୍ତର କରିବା ଅଭିଯୋଗରେ ଦୁଇଜଣ ବୈଜ୍ଞାନିକ ଏବଂ ଅନ୍ୟ ଚାରିଜଣ ଜଡିତ ଥିଲେ । ଏହି ମାମଲା ପ୍ରଥମେ ରାଜ୍ୟ ପୋଲିସ ଦ୍ୱାରା ଅନୁସନ୍ଧାନ କରାଯାଇଥିଲା ଏବଂ ପରେ CBI କୁ ମାମଲା ହସ୍ତାନ୍ତର କରାଯାଇଥିଲା, ଯେଉଁଥିରେ ଅଭିଯୋଗ ଅନୁଯାୟୀ କୌଣସି ଗୁପ୍ତଚର କାର୍ଯ୍ୟକଳାପ କରାଯାଇନଥିଲା ।
ଘଟଣାକୁ ନେଇ ସେତେବେଳେ କେରଳ ରାଜ୍ୟ ରାଜନୀତିରେ ମଧ୍ୟ ତୁମ୍ବି ତୁଫାନ ଦେଖିବାକୁ ମିଳିଥିଲା । କଂଗ୍ରେସ ଶାସନାଧୀନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କେ. କରୁଣାକରନଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ଫଳରେ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ।