ହାଇଦ୍ରାବାଦ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂରେ ଐତିହାସିକ ସଫଳତା ହାସଲ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ମିଳିବ ଆଉ ଏକ ସଫଳତା । ଆଜି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ1 ଅପରାହ୍ନ 4ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଇସ୍ରୋ ଆଦିତ୍ୟ ଏଲ1କୁ ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ହାଲୋ ଅର୍ବିଟରେ ପ୍ରବେଶ କରାଇବ । ପ୍ରକାଶ ଥାଉକି, ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିଲା ।
ଏଲ1 ପଏଣ୍ଟର ଆଖପାଖରେ ରହିଥିବା କ୍ଷେତ୍ରକୁ ହାଲୋ ଅର୍ବିଟ କୁହାଯାଏ । ଯାହା ସୂର୍ଯ୍ୟ-ପୃଥିବୀ ମଧ୍ୟରେ ରହିଥିବା ପାଞ୍ଚଟି ସ୍ଥାନ ମଧ୍ୟରୁ ଗୋଟିଏ । ଏହି ସ୍ଥାନରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ସମାନ ରହିଥାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଏଭଳି 5ଟି ସ୍ଥାନ ରହିଛି । ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ସନ୍ତୁଳିତ ରହିଥିବା କାରଣରୁ କୌଣସି ବସ୍ତୁ ମାଧ୍ୟାକର୍ଷଣରେ ଫସି ନଥାଏ ।
ପ୍ରଥମ ଥର ଏଭଳି ପ୍ରୟାସ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଷ୍ଟ୍ରୋଫିଜିକ୍ସର ନିର୍ଦ୍ଦେଶକ ଅନ୍ନପୂର୍ଣ୍ଣୀ ସୁବ୍ରମଣ୍ୟମ କହିଛନ୍ତି, "ଅନ୍ତିମ କକ୍ଷରେ ପହଞ୍ଚିବା ଏକ ପ୍ରକାର ଚ୍ୟାଲେଞ୍ଜ ଅଟେ । ପ୍ରଥମ ଥର ପାଇଁ ଇସ୍ରୋ ଏଭଳି ଉଦ୍ୟମ କରିଛି ।" ପୂର୍ବରୁ ଇସ୍ରୋ ମଙ୍ଗଳ, ଚନ୍ଦ୍ର ଏବଂ ପୃଥିବୀର କକ୍ଷପଥରେ ସାଟେଲାଇଟକୁ ଅବସ୍ଥାପିତ କରିବାରେ ସଫଳତା ପାଇଥିଲେ ହେଁ ସୂର୍ଯ୍ୟ ମିଶନ ଅର୍ଥାତ ଏଲ1 ପଏଣ୍ଟରେ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଏକ ପ୍ରକାର ଚାଲେଞ୍ଜ ଅଟେ ।
ହାଲୋ ଅର୍ବିଟ ପ୍ରୋସେସ: ହାଲୋ ଅର୍ବିଟରେ ପ୍ରବେଶ କରାଇବା ପାଇଁ ଆଦିତ୍ୟ ଏଲ 14 ସାଟେଲାଇଟର ଥ୍ରଷ୍ଟରକୁ କିଛି ସମୟ ପାଇଁ ଅନ କରାଯିବ । ପ୍ରକାଶ ଥାଉକି, ଏହି ସାଟେଲାଇଟରେ 12ଟି ଥ୍ରଷ୍ଟର ରହିଛି । ଏଲ1 ପଏଣ୍ଚରେ ଚୁମ୍ବକୀୟ ପ୍ରଭାବ ରହିନଥାଏ ଫଳରେ ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିବାରେ ସହଜ ହେବ ।
ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଏଲ 1କୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୬ରେ ଛୁଇଁବ ଲାଗରେଞ୍ଜ ପଏଣ୍ଟ
ଆଦିତ୍ୟ ଏଲ1ର ଲକ୍ଷ୍ୟ: ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶ ପାଣିପାଗ ସମ୍ପର୍କରେ ଅଧ୍ୟୟନ କରିବ ଆଦିତ୍ୟ ଏଲ1 । ସେହିପରି ପୃଥିବୀ ପୃଷ୍ଠର ଉତପ୍ତତା, ସୌର ବାୟୁମଣ୍ଡଳ, ସୂର୍ଯ୍ୟକିରଣ, ସୌର ତାପମାତ୍ରା ଭଳି ବିଷୟରେ ଅଧ୍ୟୟନ କରି ତଥ୍ୟ ପଠାଇବ । ଆଦିତ୍ୟ L1ରେ ଲାଗିଥିବା ୭ଟି ପେଲୋଡ ଭିତରୁ ୪ଟି ରିମୋଟ ସେନ୍ସିଂ ପେଲୋଡ ଏବଂ ୩ଟି ଇନସିଟୁ ପେଲୋଡ ରହିଛି । ୪ଟି ପେଲୋଡ ସୂର୍ଯ୍ୟର ଆଲୋକ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ଆଉ ୩ଟି ମ୍ୟାଗ୍ନେଟିକ ଫିଲ୍ଡ ଓ ପ୍ଲାଜାର ଇନ-ସିଟୁ ପାରାମିଟର ଉପରେ ପରୀକ୍ଷା ନିରୀକ୍ଷା କରିବ ।
ଆଦିତ୍ୟ L-1ମିଶନର ଫାଇଦା: ସୂର୍ଯ୍ୟଙ୍କ ବାୟୁମଣ୍ଡଳରୁ ମହାକାଶକୁ ବ୍ୟାପିଥିବା କରୋନାଲ୍ ମାସ ଇଜେକ୍ସନ ଏବଂ ସୌରଝଡରେ ଅନେକ ପ୍ରକାରର ରେଡିଓଆକ୍ଟିଭ୍ ଉପାଦାନ ରହିଥାଏ, ଯାହା ପୃଥିବୀ ପାଇଁ କ୍ଷତିକାରକ ହୋଇଥାଏ । ସୌରଝଡ ଏବଂ କରୋନାଲ ମାସ ଆଡେକ୍ସନ ହେତୁ ପୃଥିବୀର ବାହ୍ୟ ବାୟୁମଣ୍ଡଳରେ ପରିକ୍ରମା କରୁଥିବା ଉପଗ୍ରହଗୁଡିକରେ ତ୍ରୁଟି ହୋଇପାରେ । ଏହା ବ୍ୟତୀତ, ଯଦି କରୋନାଲ୍ ମାସ୍ ଇଜେକସନ ଏବଂ ସୌରଝଡ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରେ ତେବେ ପୃଥିବୀର ସର୍ଟ ୱେବ୍ ଯୋଗାଯୋଗ, ମୋବାଇଲ୍ ସିଗ୍ନାଲ୍, ଇଲେକ୍ଟ୍ରିକ୍ ପାୱାର୍ ଗ୍ରୀଡ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯିବ ବୋଲି ଜଣାପଡିଛି । ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବାରେ ଏହା ଭାରତର ପ୍ରଥମ ସ୍ପେସ ମିଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ