ଜାତିସଂଘ: ଚୀନର ପୁଣି ଆତଙ୍କବାଦୀ ପ୍ରେମ । ଲସ୍କର-ଇ-ତୋଇବା(Lashkar-e-Taiba) ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅ କୁଖ୍ୟାତ ଆତଙ୍କବାଦୀ ହାଫିଜ ତଲହା ସୟିଦ(Hafiz Talha Saeed)କୁ କଳା ତାଲିକାଭୁକ୍ତ(blacklist) ଘୋଷଣା କରିବା ପାଇଁ ଭାରତ ଓ ଆମେରିକା ଆଣିଥିବା ପ୍ରସ୍ତାବ ଉପରେ ରୋକ୍ ଲଗାଇଲା ଚୀନ । ଗତ ଦୁଇ ଦିନ ମଧ୍ୟରେ ଚୀନର ଏହା ଦ୍ବିତୀୟ ପଦକ୍ଷେପ ଅଟେ ।
ଏହାର ଦିନକ ପୂର୍ବରୁ ଚୀନ ଲସ୍କର-ଇ-ତୋଇବା ଆତଙ୍କୀ ଶାହିଦ୍ ମହମ୍ମୁଦ(LeT leader Shahid Mahmood)କୁ ବୈଶ୍ବିକ ଆତଙ୍କବାଦୀ(global terrorist) ତାଲିକାରେ ସାମିଲ ନିମନ୍ତେ ଆଗତ ପ୍ରସ୍ତାବ ଉପରେ ମଧ୍ୟ ରୋକ ଲଗାଇଥିଲା । ଜାତିସଂଘ ସୁରକ୍ଷା ପରିଷଦ(UN Security Council)ରେ ଅଲ କାଏଦା ସାଙ୍କସନ କମିଟି ଧାରା ୧୨୪୬ ଅଧିନରେ ଭାରତ ଓ ଆମେରିକା ଏହି ପ୍ରସ୍ତାବ ଆଗତ ଆଣିଥିଲେ । ମାତ୍ର ଚୀନ ନିଜର ଭିଟୋ ପାୱାର ପ୍ରୟୋଗ କରି ଏଥିରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ଚଳିତ ବର୍ଷ ଅପ୍ରିଲରେ ଭାରତ ସରକାର ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡର ପୁଅ ହାଫିଜ ତଲହା ସୟିଦକୁ ଆତଙ୍କବାଦୀ ଘୋଷିତ କରିଥିଲେ ।
ଏହାମଧ୍ୟ ପଢନ୍ତୁ: ମୁମ୍ବାଇର ତିନି ସ୍ଥାନରେ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
ଗତ ୪ ମାସ ଭିତରେ ପାକିସ୍ତାନର ଆତଙ୍କବାଦୀଙ୍କୁ କଳାତାଲିକାଭୁକ୍ତ କରିବା ପରିପ୍ରେକ୍ଷୀରେ ଜାତିସଂଘରେ ଆଗତ ପ୍ରସ୍ତାବ ଉପରେ ଏହାକୁ ମିଶାଇ ଚୀନ ୫ ଥର ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ ଗତ ଜୁନରେ ପାକିସ୍ତାନୀ ଆତଙ୍କୀ ଅବଦୁଲ ରେମହନ ମକ୍କି ସମ୍ପର୍କିତ ପ୍ରସ୍ତାବକୁ ଅଟକାଇ ଥିଲା । କହିରଖୁଛୁ କି, ହାଫିଜ ତଲହା ସୟିଦ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ଅଟେ । ୨୬/୧୧ ମୁମ୍ବାଇ ଆକ୍ରମଣ(26/11 Mumbai terror attacks) ପଛରେ ଏହି ସଂଗଠନର ମୁଖ୍ୟ ଭୂମିକା ରହିଥିଲା ।