ଦାମାସ୍କସ: ସିରିଆ ରାଜଧାନୀ ଦାମାସ୍କସ ଉପରେ ଆକାଶ ମାର୍ଗରୁ ଇସ୍ରାଏଲର ଆକ୍ରମଣ । ସୋମବାର ବିଳମ୍ବିତ ରାତିରେ ରାଜଧାନୀର ଦକ୍ଷିଣ ପ୍ରାନ୍ତରେ ଏହି ଆକ୍ରମଣ ହୋଇଥିବା ଜଣା ପଡିଛି । ଏଥିରେ 2 ଜଣ ସିରିଆନ ଜବାନଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ଏଥିସହ ଅନେକ ସାର୍ବଜନିନ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ଦେଖାଯାଇଛି । ଏନେଇ ସିରିଆ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକରେ ମୁଖ୍ୟତଃ ସିରିଆର ମିଲିଟାରୀ ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା । ଏନେଇ ଖବର ପାଇବା ପରେ ସିରିଆନ ଏୟାର ଡିଫେନ୍ସ ଏକାଧିକ ମିସାଇଲକୁ ଟାର୍ଗେଟ ଉପରେ ଆକ୍ରମଣ କରିବା ପୂର୍ବରୁ ଖସାଇବାରେ ସଫଳ ହୋଇଥିଲା । ତେବେ ଏହି ମିସାଇଲଗୁଡିକୁ ସିରିଆରେ ଥିବା ଇସ୍ରାଏଲ ଅଧିକୃତ ଗୋଲାନ ଘାଟିରୁ ଫାୟାର କରାଯାଇଥିବା ସ୍ପଷ୍ଟ ହୋଇଛି । ଯାହା ସୋମବାର ରାତି ପ୍ରାୟ 10ଟା 40ମିନିଟରେ ଫାୟାର କରାଯାଇଥିଲା । ଏହି ବିସ୍ଫୋରଣର ଶବ୍ଦ ସାଧାରଣ ନାଗରିକଙ୍କୁ ଆତଙ୍କିତ କରିଥିଲା ।
ଏସମ୍ପର୍କରେ ଇସ୍ରାଏଲ କ୍ବଚିତ ମୁହଁ ଖୋଲୁଥିବା ବେଳେ ସିରିଆରେ ଇରାନୀ ସୈନ୍ୟଙ୍କ ସ୍ଥିତି ସନ୍ଦେହ କରି ଇସ୍ରାଏଲ ଏହି ଚଢାଉ କରିଥିବା ଅନୁମାନ କରାଯାଉଛି । ଏନେଇ ଗତ 3 ମାସ ମଧ୍ୟରେ ସିରିଆ ଉପରେ ଇସ୍ରାଏଲ ଅନ୍ୟୁନ 8 ଥର ଏୟାର ରେଡ କରିଥିବା ସିରିଆ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ସେପଟେ ଇସ୍ରାଏଲର କହିବା ଅନୁଯାୟୀ ଇରାନ ହେଉଛି ସିରିଆର ପ୍ରମୁଖ ସହଯୋଗୀ । ତେଣୁ ସିରିଆରେ ଇରାନର କୌଣସି ମିଲିଟାରୀ ଆଡ୍ଡାକୁ ଇସ୍ରାଏଲ ବରଦାସ୍ତ କରିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ