କାବୁଲ : କୋରୋନା କାଳରେ ଆଫଗାନିସ୍ତାନରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଓ ସଂଘର୍ଷ ଜାରି ରହିଛି । ଶୁକ୍ରବାର ପୂର୍ବ ଆଫଗାନିସ୍ତାନ ଘଜନୀ ଏବଂ ନାଙ୍ଗରହାରରେ ଜାତୀୟ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପରେ ପାଲଟା ଆକ୍ରମଣରେ 10 ତାଲିବାନ ଆତଙ୍କୀ ନିପାତ ହୋଇଥିବା ବେଳେ 3 ଗୁରୁତର ଆହତ ହୋଇଛନ୍ତି । ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।
ସୂଚନାନୁସାରେ, ଏହି ଆକ୍ରମଣ ଘଜନୀ ଏବଂ ନଙ୍ଗରହାର ପ୍ରଦେଶର ଖୋଗାନି ଜିଲ୍ଲାର ଆସଫାଣ୍ଡି ଅଞ୍ଚଳରେ ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଆସଫାଣ୍ଡି ଅଞ୍ଚଳରେ ହୋଇଥିବା ସଂଘର୍ଷରେ 6 ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଅନ୍ୟ ତିନିଜଣ ଆହତ ହୋଇଥିଲେ । ସେହିପରି ଖୋଗାନି ଅଞ୍ଚଳରେ 4 ତାଲିବାନ ଆତଙ୍କୀ ମଧ୍ୟ ସେନା ଗୁଳିରେ ଟଳିଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣରେ ଜାତୀୟ ସୁରକ୍ଷା ବାହିନୀର କୌଣସି ଯବାନ ଆହତ ହୋଇନାହାଁନ୍ତି।
ଫେବୃଆରୀ ଶେଷରେ କାତାର ରାଜଧାନୀ ଦୋହାରେ ଆମେରିକା ବୁଝାମଣା କରିଥିବା ଶାନ୍ତି ଚୁକ୍ତିନାମା ଅନୁଯାୟୀ ତାଲିବାନ ହିଂସା, ସଂଘର୍ଷ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ତେବେ ଏହି ଚୁକ୍ତିକୁ ଅବମାନନା କରି ତାଲିବାନ ଆକ୍ରମଣ ଜାରି ରଖିଛି।
@ANI