ମସ୍କୋ: ସାଇବେରିଆର ଏକ ପାୱାର ପ୍ଲାଣ୍ଟ ଷ୍ଟୋରେଜ୍ ସେଣ୍ଟରରୁ ପ୍ରାୟ 20 ହଜାର ଟନ୍ ଡିଜେଲ ଇନ୍ଧନ ଲିକ୍ ହେବା ପରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
ଏହି ଘଟଣାଟି ଗତ ଶୁକ୍ରବାର ମସ୍କୋଠାରୁ 2,900 କିଲୋମିଟର ଦୂରରେ ଥିବା ନୋରିଲସ୍କ ସହରର ଏକ ବିଦ୍ୟୁତ୍ କେନ୍ଦ୍ରରେ ଘଟିଛି । ତେବେ କମ୍ପାନୀ ଏହି ଇନ୍ଧନକୁ ଯେତେବେଳେ ପ୍ରବାହ ହେବାରୁ ରୋକି ପାରିଲା ନାହିଁ ସେତେବେଳେ ସରକାରଙ୍କୁ ଏହାର ସୂଚନା ଦେଇଥିଲା । ଏହି ଇନ୍ଧନ ଲିକ୍ ହେବା ଖବର ଶୁଣି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜରୁରୀକାଳୀନ ଘୋଷଣା କରିଛନ୍ତି । ଇନ୍ଧନକୁ ଅମ୍ବରନାୟା ନଦୀରେ ପ୍ରବେଶ ନକରିବା ପାଇଁ ଅବରୋଧ କରାଯାଇଛି ।
ପୁଟିନ ଏହି ଇନ୍ଧନ ଲିକକୁ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ରୋକିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୱାର୍ଲ୍ଡ ୱାଇଡ ଲାଇଫ ଫଣ୍ଡ-ଋଷର ନିର୍ଦ୍ଦେଶକ ଆଲେକ୍ସାଇ ନିଜିନିକୋଭ କହିଛନ୍ତି ଯେ ଏହା ମାଛ ଏବଂ ଅନ୍ୟାନ୍ୟ ସମ୍ବଳକୁ କ୍ଷତି ପହଞ୍ଚାଇବ । ଏହି ଇନ୍ଧନ ଲିକ୍ ହେବା ଦ୍ବାରା ମୋଟ 10 ନିୟୁତ ଡଲାରର କ୍ଷତି ହୋଇଥିବା ଆକଳନ କରାଯାଇଛି ।